ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ

ବୌଦ୍ଧ,୨୬ା୮/ଏନ୍ଏନ୍ଏସ୍: ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ ସେ ଗତକାଲି ଗୋଟିଏ ଦିନ ପାଇଁ ନିଜର ପାରିବାରିକ କାର୍ଯ୍ୟରେ ଭୁବନେଶ୍ୱର ଯାଇ ସୋମବାର ଅଫିସ୍ କାର୍ଯ୍ୟରେ ଯୋଗଦେବାକୁ ବୌଦ୍ଧ ଫେରୁଥିଲେ । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅନ୍ତର୍ଗତ ହରଭଙ୍ଗା ବ୍ଲକ୍ଠାରୁ ମାତ୍ର ଅଳ୍ପ ଦୂର କଲରାକୋଠା ନିକଟରେ ତାଙ୍କ କାରଟି ରାସ୍ତାକଡ଼ର ଏକ ଗଛରେ ପିଟି ହୋଇଥିଲା । ଏଥିରେ କାରର ପଛପଟଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ରମାକାନ୍ତ ସେଠୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା। ତାଙ୍କୁ ତୁରନ୍ତ ୧୦୮ ଆମ୍ବଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନିଆଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ସମୟରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଏନ୍ସି ଜ୍ୟୋତିରଞ୍ଜନ ନାଏକ, ବୌଦ୍ଧ ବିଡିଓ ଅଶ୍ୱିନୀ କୁମାର ମେହେର, ତହସିଲଦାର ଲଲାଟେନ୍ଦୁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ସାହୁ ଓ ଜିଲ୍ଲା ଓକିଲ ସଂଘ ସଭାପତି ତାରିଣୀ କୁମାର ମହାପାତ୍ରଙ୍କ ସମେତ ବହୁ ସରକାରୀ କର୍ମଚାରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚିଥିଲେ । ଅପରାହ୍ଣରେ ସ୍ୱର୍ଗତ ସେଠୀଙ୍କ ମରଶରୀରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ସେଠାରେ ସମସ୍ତେ ଶେଷ ଦର୍ଶନ କରିବା ପରେ ସମ୍ମାନ ପୂର୍ବକ ସ୍ୱର୍ଗଦ୍ୱାର ଅଭିମୁଖେ ବିଦାୟ ଦିଆଯାଇଥିଲା ।