ଜିଲ୍ଲା କୃଷି ଅଧିକାରୀଙ୍କ ମୁଗ ଚାଷ ଅଞ୍ଚଳ ପରିଦର୍ଶନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାଶ ଚନ୍ଦ୍ର ସ୍ୱାଇଁ ଏବଂ ବିଭାଗୀୟ ଅଧିକାରୀମାନେ ମୁଗ ଚାଷ ହୋଇଥିବା ଚାଷୀଙ୍କ ବିଭିନ୍ନ ଚାଷ କ୍ଷେତ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲାର ମାରିବାଡ଼ା ପଂଚାୟତର ଏମଭି-୨୬ ଏବଂ ଆଖପାଖ ଗ୍ରାମର ଚାଷୀମାନେ ୨୫୦ ଏକର ଜମିରେ ମୁଗ ଚାଷ କରିଥିଲେ। ଏଥିପାଇଁ କୃଷି ବିଭାଗ ତରଫରୁ ବିହନ ଏବଂ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ସେହି ସବୁ କ୍ଷେତରେ ମୁଗ ଫସଲ ଭଲ ହୋଇଥିବାରୁ ଅଧିକାରୀମାନେ ଖୁସି ବ୍ୟକ୍ତ କରିବା ସହ ଚଳିତ ବର୍ଷ ମୁଗ ଚାଷ କରିଥିବା ଚାଷୀମାନେ ଅଧିକ ଅର୍ଥ ଉପାର୍ଜନ କରି ସାରା ବର୍ଷ ପାଇଁ ନିଜେ ବ୍ୟବହାର କରିବା ନିମନ୍ତେ ଗଚ୍ଛିତ ରଖିପାରିବେ ବୋଲି କହିଥିଲେ। ଜିଲ୍ଲାରେ ମୁଗ ଚାଷ ପାଇଁ ଉତ୍କୃଷ୍ଟ ଭିତ୍ତିଭୂମି ଓ ଉପଯୁକ୍ତ ଜଳବାୟୁ ଥିବାରୁ ଆଗାମୀ ବର୍ଷରେ ଧାନକଟା ପରେ ଅନେକ ଚାଷୀ ମୁଗ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି। ଆଗାମୀ ବର୍ଷ ଯେଉଁ ଚାଷୀମାନେ ମୁଗ ଚାଷ କରିବେ ସେମାନଙ୍କୁ ବିଭାଗ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।