ନିରାଶ୍ରୟ ଓ ଗରିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣ

ଦେବଗଡ଼,ଏନ୍ଏନ୍ଏସ୍: କରୋନାର ମୁକାବିଲା ପାଇଁ ଲକଡାଉନ ସମୟରେ କ୍ଷୁଧାରେ ଥିବା ଗରିବ, ଅସହାୟ, ନିରାଶ୍ରୟ ଓ ଅନ୍ୟ ରାଜ୍ୟରୁ ବିଭିନ୍ନ ନିର୍ମାଣକାମ ପାଇଁ ଆସି ଲକଡାଉନ ଯୋଗୁଁ ଜିଲ୍ଲାରେ ରହି ଯାଇଥିବା ଶ୍ରମିକମାନଙ୍କୁ ସରକାରୀ ଘୋଷଣା ଅନୁଯାୟୀ ପ୍ରତ୍ୟେକ ଦିନ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ତିନୋଟି ବ୍ଲକର ୬୪ଟି ପଞ୍ଚାୟତରେ ୪୪୫୭ ଜଣଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେଥିମଧ୍ୟରେ ୪୦୧୪ ବୟସ୍କ ଓ ୪୪୩ ଶିଶୁ ରହିଛନ୍ତି।

ସେହିଭଳି ପୌରାଞ୍ଚଳରେ ମଧ୍ୟ ୨୮୩ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ବୁଲା ଗୋରୁଙ୍କୁ ମଧ୍ୟ ପୌରପରିଷଦ ପକ୍ଷରୁ ଗୋଖାଦ୍ୟ ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାରକୋଟ ବ୍ଲକର ୨୪ଟି ପଞ୍ଚାୟତରେ ମୋଟ ୧୬୭୦ ଜଣଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେଥିମଧ୍ୟରେ ୧୫୩୬ ଜଣ ବୟସ୍କ ଏବଂ ୧୩୪ ଜଣ ଶିଶୁ ଉପକୃତ ହୋଇଛନ୍ତି। ରିଆମାଳ ବ୍ଲକର ୨୦ଟି ପଞ୍ଚାୟତରେ ୬୨୫ଜଣ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଇଛି। ତିଲେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୨୧୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଲକ୍ଡାଉନ ପରିସ୍ଥିତି ଉଠିବା ପର୍ଯ୍ୟନ୍ତ ସମ୍ପୃକ୍ତ ଶ୍ରେଣୀର ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଯିବ।