ଫିନାଇଲ ପିଇ ପରିବାରବର୍ଗଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ମଝିଆ ଭଉଣୀଙ୍କ ଶେଷକୃତ୍ୟ ସମ୍ପନ୍ନ କଲା ଜିଲ୍ଲା ପ୍ରଶାସନ

ଝାରସୁଗୁଡା,ଏନ୍ଏନ୍ଏସ୍: ବିଟିଏମ ମଶାଣିରେ ବିଶ୍ୱଳ ପରିବାରର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ଶେଷ କୃତ୍ୟ ସମ୍ପନ୍ନ ହେଉଛି। ଗୋଟିଏ ଜୁଇରେ ଗତ ଗୁରୁବାର ପରିବାବରର ୪ ସଦସ୍ୟଙ୍କ ଚିତା ଜଳିଥିବାବେଳେ ଆଜି ଜିଲ୍ଲା ପ୍ରଶାସନ, ପୁଲିସ, ସ୍ଥାନୀୟ ଲୋକ ଓ ଝାରସୁଗୁଡା ଜିଲ୍ଲା ଖଣ୍ଡାୟତ ସମାଜର ସଭାପତି ଓ ସଦସ୍ୟଙ୍କ ଉପସ୍ଥିତିରେ ମଝିଆ ଭଉଣୀ ବନ୍ଦିତା ବିଶ୍ୱାଳ(୩୫)ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ପରିବାରର ଆଉ ଜଣେ ସଦସ୍ୟ (ବଡ ଭଉଣୀ) ଲିଲି ବିଶ୍ୱାଳ(୩୮) ବୁର୍ଲ୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଝାରସୁଗୁଡା ଜିଲ୍ଲା ଲହୁଣ୍ଡାବୁଡ ଅଂଚଳରେ ଭାଇ ଦୀପକ ବିଶ୍ୱାଳର ମୃତ୍ୟୁ ପରେ ଗତ ସୋମବାର ରାତିରେ ତିନି ଭଉଣୀ, ବଡ ଭାଇ ଓ ମା’ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ଏ ବିଷୟରେ ଖବରପାଇ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲ୍ଲା ଡାକ୍ତାରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ଗତ ବୁଧବାର ସକାଳେ ବଡ ଭାଇ ଶ୍ରୀକାନ୍ତ ବିଶ୍ୱାଳ(୩୩)ଙ୍କ ମୃତ୍ୟୁ ହୋଇଥିବାବେଳେ ରାତିରେ ସାନ ଭଉଣୀ ପିଙ୍କି ବିଶ୍ୱାଳ(୩୦), ଗୁରୁବାର ସକାଳେ ମା ପୁଷ୍ପାବତୀ ବିଶ୍ୱାଳ (୫୮) ଓ ଶୁକ୍ରବାର ସକାଳେ ମଝିଆ ଭଉଣୀ ବନ୍ଦିତା ବିଶ୍ୱାଳ(୩୫)ର ମୃତ୍ୟୁ ହୋଇଥିଲା।

ଲକଡାଉନ ଯୋଗୁଁ ଗତ ଗୁରୁବାର ଏହି ପିରିବାରର ସମ୍ପର୍କୀୟମାନେ ଗଞ୍ଜାମରୁ ଝାରସୁଗୁଡାକୁ ଅନ୍ତିମ ସଂସ୍କାର ପାଇଁ ଆସିପାରି ନଥିଲେ। ଆଜି ସେମାନେ ଝାରସୁଗୁଡା ଆସିବାର ଥିଲେ ମଧ୍ୟ ସଟଡାଉନ ଯୋଗୁଁ ଆସି ପାରିନାହାନ୍ତି ବୋଲି ନିଖିଳ ଉତ୍କଳ ଆଳିୟାତ ଖଣ୍ଡାୟତ ସମାଜ ଝାରସୁଗୁଡାର ସଭାପତି ସନ୍ତୋଷ କୁମାର ଲେଙ୍କା କହିଛନ୍ତି। ଫଳରେ ବିଶ୍ୱାଳ ପରିବାରର ସେମାନଙ୍କ ସମାଜର ଲୋକ ହୋଇଥିବାରୁ ତାଙ୍କର ଅନ୍ତିମ ସଂସ୍କାର କରି ଅସ୍ତି ସଂଗ୍ରହ କରି ରଖାଯାିଛି। ସେମାନଙ୍କ ସମ୍ପର୍କୀୟମାନେ ଝାରସୁଗୁଡା ଆସିଲେ ତାଙ୍କୁ ଅସ୍ତି ହସ୍ତାନ୍ତର କରାଯିବ କିମ୍ବା ସମାଜ ପକ୍ଷରୁ ତାକୁ ବିସର୍ଜନ କରାଯିବ ବୋଲି ସେ କହିଛନ୍ତି।