ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ୭ ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ସଂପ୍ରତି ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନ ସାଧାରଣ ଆତଙ୍କିତ ଥିବା ବେଳେ ଦେବଗଡ଼ ଜିଲ୍ଲାରେ ଗତକାଲି ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛି। ଏଥିପାଇଁ ଦେବଗଡ଼ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଚିହ୍ନଟ ବ୍ୟକ୍ତି ଜଣଙ୍କ ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର। ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ କରୋନା ବିଶେଷଜ୍ଞ ଦଳ ଗ୍ରାମରେ ପହଞ୍ଚି ସଂକ୍ରମିତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଦେବଗଡ଼ କୋଭିଡ ହସପିଟାଲକୁ ନେଇଥିଲେ। ପରେ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ସାନିଟାଇଜ ନ କରାଯିବା ପର୍ଯ୍ୟନ୍ତ ଗାଁ ସିଲ କରାଯାଇଛି।

ସେହିପରି ସନ୍ଧ୍ୟାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ପ୍ରଶାନିକ ଅଧିକାରୀମାନଙ୍କ ସହ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ସଂକ୍ରମି ବ୍ୟକ୍ତି ବୁଲିଥିବା ବିଭିନ୍ନ ଅଞ୍ଚଳର ତଥ୍ୟ ସଂଗ୍ରହ କରି ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତର ବାସୁଦେବପୁର ଗ୍ରାମ ସମେତ ଝାଟିକିପଶି, ଖୁଣ୍ଟାପଶି, ସାମନ୍ତରାପାଲି, ନୂଆଗାଁ, କମଳାବଗିଚା ଓ ବଣିଆକିଲିଣ୍ଡା ପଞ୍ଚାୟତର ସୁନାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରି ଉପରୋକ୍ତ ଗ୍ରାମଗୁଡିକରେ ଯିବା ଆସିବା ସମ୍ପୂର୍ଣ୍ଣ ରୋକ ଲଗାଇଥିବା ବେଳେ ଉପରୋକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି।

ଉପରୋକ୍ତ ଅଞ୍ଚଳ ଗୁଡିକରେ ରହୁଥିବା ଜନସାଧାରଣଙ୍କ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ତିଲେଇବଣୀ ବ୍ଲକ୍ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତଙ୍କୁ ଉପରୋକ୍ତ ଅଞ୍ଚଳ ଗୁଡିକର ସାନିଟାଇଜେସନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଦେବଗଡ଼ ତହସିଲଦାର ପଲ୍ଲଭି ନାଏକଙ୍କୁ ଉପରୋକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ସମ୍ପର୍କିତ ଦାୟିତ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝାଙ୍କୁ ପ୍ରଦାନ କରାଯାଇଛି। ତେବେ ସମ୍ପୃକ୍ତ ଅଞ୍ଚଳର ସମସ୍ତ ଗତିବିଧିକୁ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ତଦାରଖ କରିବେ ବୋଲି ଜଣାପଡ଼ିଛି।