‘ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦିଆଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ’

ମାଲକାନଗିରି,ଏନ୍ଏନ୍ଏସ୍: ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦିଆଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏହି ଅବସରରେ ପୌରପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ବିଡିଓ ଗୁଣନିଧି ନାୟକଙ୍କ ସମେତ ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

ବରିଷ୍ଠ ନାଗରିକଙ୍କ ପାଇଁ ସରକାର କରିଥିବା ପେନସନ୍, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ଓ ନିର୍ଯାତିତ ହେଲେ କିଭଳି ଆଇନଗତ ଦଣ୍ଡବିଧାନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ୨୦୦ରୁ ଊଦ୍ଧ୍ୱର୍ ମହିଳା ଏବଂ ପୁରୁଷ ବରିଷ୍ଠ ନାଗରିକଙ୍କୁ ଡଃ ଧନୁର୍ଯ୍ୟୟ ମହନ୍ତ, ଜିଲ୍ଲା ଗ୍ରାମ କଲ୍ୟାଣ ସମିତିର ପରିଚାଳକ ସଚିନଦେବ ଗୌଡ ବୟୋଜ୍ୟେଷ୍ଠମାନେ କିପରି ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବେ, ସେମାନଙ୍କ ଖାଦ୍ୟ ପେୟ ସମ୍ବନ୍ଧରେ ବୁଝାଇବା ସହ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ କି କି ଚିକିତ୍ସାର ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପ୍ରକାଶ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିନାଶ ମିଶ୍ରଙ୍କ ଜାଦୁ ଖେଳ ବରିଷ୍ଠ ନାଗରିକଙ୍କୁ ଆକୃଷ୍ଟ କରିଥିଲା।