ଡାଏଲିସିସ୍ ବିଭାଗରେ ଅବ୍ୟବସ୍ଥା: ଗତ ଦେଢ ମାସରେ ୧୦ ମୃତ, ୯୦ ରୋଗୀଙ୍କ ପାଇଁ ଜଣେ ଟେକ୍‌ନିସିଆନ୍

ବଲାଙ୍ଗିର,ଏନ୍‌ଏନ୍‌ଏସ୍: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଥିବା ଏକ ମାତ୍ର ଡାଏଲିସିସ୍‌ ସେଣ୍ଟରର ଅବସ୍ଥା ସାଂଘାତିକ ରହିଛି। ଜଣେ ବେସରକାରୀ ସଂସ୍ଥା ହାତକୁ ଏହି ଅତି ସମ୍ବେଦନଶୀଳ ବିଭାଗକୁ ଟେକି ଦିଆଯାଇଛି। ସେହି ସଂସ୍ଥାର ଅପାରଗତା ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଡାଏଲିସିସ୍‌ ବିଭାଗକୁ ଜମକୁଣ୍ଡରେ ପରିଣତ କରିଛି ବୋଲି ଡାଏଲିସିସ୍ ରୋଗୀମାନେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ, ଭୀମ ଭୋଇ ମେଡିକାଲରେ ଡାଏଲିସିସ୍ ବିଭାଗ ଚଳାଇବା ସମସ୍ତ ଦାୟିତ୍ୱ ରାହୀ କେଆର ନାମକ ଅଣ ସରକାରୀ ସଂସ୍ଥାକୁ ଦିଆଯାଇଛି। କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ୯୦ ଜଣ ଡାଏଲିସିସ୍ ରୋଗୀଙ୍କ ପାଇଁ ମାତ୍ର ଜଣେ ଟେକନିସିଏନଙ୍କୁ ନିଯୁକ୍ତ କରାଯାଇଛି।

ଏବେ ଜଣେ ଅନଭିଜ୍ଞ ଟେକନିସିଏନକୁ ଆଣି ବିଭାଗରେ ନିୟୋଜିତ କରାଯାଇଛି। ଉକ୍ତ ଟେକନିସିଏନଟି ଅନଭିଜ୍ଞ ଥିବା ବେଳେ ଅନେକ ଡାଏଲିସିସ୍ ରୋଗୀଙ୍କ ପିସ୍ତୁଲା ସଂଯୋଗ କରି ପାରୁ ନାହିଁ, ଫଳରେ କୋଉଁ ରୋଗୀଙ୍କ ପ୍ରବଳ ରକ୍ତଶ୍ରାବ ହେଉଛି ତ ଆଉ କାହାରି ପିସ୍ତୁଲା ସମ୍ପୂର୍ଣ୍ଣ ନଷ୍ଟ ହୋଇ ରୋଗୀଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ଡାଏଲିସିସ୍ ବିଭାଗରେ ୧୦ଟି ମେସିନ ରହିଥିଲା। ସେଥିରୁ ଏବେ ଦୁଇଟି ଅଚଳ ଥିବାବେଳେ କେବଳ ୮ଟି ମେସିନରେ ୮୮ଜଣ ରୋଗୀଙ୍କ ଡାଏଲିସିସ୍ ବୋଝ ପଡୁଛି। ଯଦ୍ୱାରା କିଡନୀ ରୋଗୀଙ୍କ ପାଇଁ ପ୍ରଯ୍ୟୁଜ୍ୟ ସାଢେ ତିନି ଘଣ୍ଟାର ଡାଏଲିସିସ୍ ପରିବର୍ତ୍ତେ ରୋଗୀଙ୍କୁ ମାତ୍ର ୨ ଘଣ୍ଟା ଡାଏଲିସିସ୍ କରାଯାଉଛି। ଯାହା ରୋଗୀଙ୍କ ପାଇଁ ନିଅଣ୍ଟିଆ ହେବା ସହିତ ଡାଏଲିସିସ୍ ମେସିନକୁ ନିୟମ ମୁତାବକ ପ୍ରକ୍ରିୟାରେ ସଫା କରାଯାଉନଥିବାବେଳେ ରୋଗୀଙ୍କ ଶରୀରରେ ସଂକ୍ରମଣ ବଢୁଛି।

ବିଭାଗରେ ଲାଗିଥିବା ୫ଟି ଏସି ମଧ୍ୟରୁ ୪ଟି ଦିର୍ଘ ଦୁଇ ମାସ ହେବ ବନ୍ଦ ରହିଛି। ଆହୁରି କିଡନୀ ରୋଗୀଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଲୋକାଲ ପର୍ଚେଜ ଫର୍ମ ମାଧ୍ୟମରେ ଦିଆଯାଉଥିବା ମାଗଣା ଔଷଧକୁ ମଧ୍ୟ ଗତ ନଭେମ୍ବର ମାସ ଠାରୁ ବନ୍ଦ କରିଦିଆଯାଇଛି। ତାଛଡା ବିଭାଗରେ ପିଇବା ପାଣି ଓ ବିଜୁଳି ମଧ୍ୟ ଯୋଗାଯାଇ ପାରୁନାହିଁ। ଡାକ୍ତରଖାନା ତରଫରୁ ହସ୍ପିଟାଲ ସୁପରିଟେଣ୍ଡଣ୍ଟ ମଧ୍ୟ ପରିଦର୍ଶନକୁ ଆସୁନଥିବା ବେଳେ ରୋଗୀଙ୍କ ଆକୁଳ ଅଭିଯୋଗ ଅଶୁଣା ରହୁଛି। ଏସବୁ ସମସ୍ୟାରେ ଭୋଗି ଭୋଗି ଗତ ଦେଢ ମାସରେ ୧୦ ଜଣ ମୃତ୍ୟୁ ବରଣ କଲେଣି, ତଥାପି ପ୍ରଶାସନ ଓ ବ୍ୟବସ୍ଥାର ଆଖି ଖୋଲିନି। ଯଦି ଏହି ସମସ୍ୟା ଗୁଡିକର ଯଥାଶୀଘ୍ର ସମାଧାନ ନକରାଯାଏ, ତେବେ ଆମେ ମୁର୍ମୁଷ ରୋଗୀମାନେ ଆମର ଜୀବନ ରକ୍ଷା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଡାଏଲିସିସ୍ କରାଉଥିବା ରୋଗୀବୃନ୍ଦ ପ୍ରକାଶ କରିଛନ୍ତି।