ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ନୈଶ୍ୟ ଭୋଜନରେ ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ ନେତାଙ୍କ ଉପସ୍ଥିତି ଉପରେ ଅନେକ ଅଟକଳ ଆରମ୍ଭ ହୋଇଛି । ଶନିବାର ଆୟୋଜିତ ହୋଇଥିବା ଏହି ନୈଶ୍ୟ ଭୋଜନରେ ଅନ୍ୟ ନେତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ହୋଇଥିଲେ ।
ଏହି ନୈଶ୍ୟ ଭୋଜନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁଥିରୁ ଉଭୟଙ୍କ ମଧ୍ୟରେ ଭଲ ସମ୍ବନ୍ଧ ଥିବା ନେଇ ଅନୁମାନ କରାଯାଉଛି । କାଲି ନୀତିଶ କୁମାର ପୁଣିଥରେ ଏନଡିଏକୁ ଫେରିବାକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଁଝୀ ଆଶଙ୍କା କରିଥିଲେ । ଏହି ସାକ୍ଷାତକୁ ଭବିଷ୍ୟତର ସଙ୍କେତ ଦର୍ଶାଇଥିଲେ।
ଫଟୋରୁ ସ୍ପଷ୍ଟ ଦେଖିବାକୁ ମିଳୁଛି କି ରାଷ୍ଟ୍ରପତିଙ୍କ ତରଫରୁ ଆୟୋଜିତ ନୈଶ୍ୟ ଭୋଜନରେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଲରେ ପ୍ରବେଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦ୍ରୁତ ଗତିରେ ତାଙ୍କ ଆଡ଼କୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା ।