କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର କରୋନା ଟିକା ବିତରଣ ପ୍ରକ୍ରିୟା ୬୦ଟି ରାଷ୍ଟ୍ରକୁ ପହଞ୍ଚିବ ବୋଲି ଆଶା କରାଯାଉଛି। କେବଳ ପଡ଼ୋଶୀ ରାଷ୍ଟ୍ର ନେପାଳ, ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା ଓ ମିଆଁମାର ନୁହେଁ, ବରଂ ଭାରତ ସରକାର ଅନ୍ୟ ଦେଶକୁ ମଧ୍ୟ କରୋନା ଟିକା ପଠାଇଛନ୍ତି ଏବଂ ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଅଧିକ ତୀବ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ଏପର୍ଯ୍ୟନ୍ତ ପଶ୍ଚିମ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାକୁ ମଧ୍ୟ କରୋନା ଟିକା ପଠାଇଛି।

ତେବେ ଭାରତର କରୋନା ଟିକା ରପ୍ତାନି ମିଶନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡରୋସ ଆଦନମ ଗ୍ରେବ୍ରେୟସ ବହୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଭାରତ ସରକାର କରୋନା ଟିକା ରପ୍ତାନି କରିବା ସହିତ ଛୋଟ ଛୋଟ ଦେଶଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦେଇ କରୋନା ଟିକା ପଠାଇଛନ୍ତି। କରୋନା ଟିକା ଯୋଗାଇଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଆପଣଙ୍କର ସାହାଯ୍ୟ ଯୋଗୁଁ ୬୦ରୁ ଅଧିକ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରିଛି।