ନାଟୋ-ଋଷ ମଧ୍ୟରେ ଯୁଦ୍ଧ ହେଲେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ: ବାଇଡେନ

ୱାଶିଂଟନ,ଏଜେନ୍ସି: ଦିନକୁ ଦିନ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ। ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ ଦିନରେ ପହଞ୍ଚିଛି। ତଥାପି ବାହାରିପାରୁନି ସମାଧାନର ବାଟ। ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ନାଟୋ ଓ ଋଷ ମଧ୍ୟରେ ଲଢ଼େଇ ହେବ ତାହେଲେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହେବ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ରହିବ।

ବାଇଡେନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ଆମେରିକୀୟ ସେନା ୟୁକ୍ରେନରେ ଲଢ଼ିବେ ନାହିଁ। କାରଣ ନାଟୋ ଏବଂ ଋଷ ମଧ୍ୟରେ ସିଧାସଳଖ ଲଢ଼େଇ ଅର୍ଥ ତୃତୀୟ ବିଶ୍ବଯୁଦ୍ଧ। ତେଣୁ ଏଥିରୁ ଆମେ ବିରତ ରହିବା ଆବଶ୍ୟକ ବୋଲି ବାଇଡେନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୃତୀୟ ବିଶ୍ବଯୁଦ୍ଧ ରୋକିବାକୁ ଆମେ ପ୍ରୟାସ କରୁଛୁ। ନାଟୋ ଦେଶଗୁଡ଼ିକୁ ଆମେରିକା ସୁରକ୍ଷା ଦେବ।

ଋଷ ଯଦି ୟୁକ୍ରେନରେ ରସାୟନିକ ଅସ୍ତ୍ରର ବ୍ୟବହାର କରୁଛି ତେବେ ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଭ୍ଲାଦିମିର ପୁଟିନ ଆକ୍ରମଣ ଆରମ୍ଭ କରିଛନ୍ତି। ଏଥିପାଇଁ ତାଙ୍କୁ ଏବଂ ତାଙ୍କ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ବାଇଡେନ କହିଛନ୍ତି।

ବାଇଡେନ ଆହୁରି କହିଛନ୍ତି ଯେ ୟୁକ୍ରେନ ଶରଣାର୍ଥୀଙ୍କୁ ଖୋଲାଖୋଲି ସ୍ୱାଗତ କରିବ ଆମେରିକା ଏବଂ ଯୁଦ୍ଧବିହୀନ ରାଷ୍ଟ୍ରକୁ ଅତିରିକ୍ତ ସହାୟତା ଯୋଗାଇବା ପାଇଁ ଆମ ଦେଶ ପ୍ରତିବଦ୍ଧ ରହିବ। ହ୍ୱାଇଟ ହାଉସରେ ସାମ୍ବାଦିକ ସମ୍ମିଳନୀ କରି ବାଇଡେନ ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି।

ସେହିପରି ଋଷ ଯେପରି କୌଣସି ଆର୍ଥିକ କାରବାର ନ କରିପାରିବ ଏଥିଲାଗି ଜି-୭ ନେତା ମାନେ ରାଜି ହେବା ଦରକାର ବୋଲି ବାଇଡେନ କହିଛନ୍ତି। ଫଳରେ ଅର୍ଥ ପ୍ରଦାନ କରୁଥିବା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ଓ ବିଶ୍ବ ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥା ଋଷକୁ କୌଣଷି ଆର୍ଥିକ ସହାୟତା ଦେଇ ପାରିବେ ନାହିଁ।

ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ, ୨.୧ ମିଲିୟନରୁ ଅଧିକ ଲୋକ ୟୁକ୍ରେନରୁ ପଡୋଶୀ ଦେଶକୁ ପଳାୟନ କରିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷର ଅର୍ଥନୀତିକୁ ଟାର୍ଗେଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ୟୁରୋପୀୟ ୟୁନିଅନ୍ ରୁଷର ନେତା, ଅଲିିଗାର୍କ, ସେମାନଙ୍କ ପରିବାର ସଦସ୍ୟ ଏବଂ ସାମୁଦ୍ରିକ କ୍ଷେତ୍ରକୁ ଟାର୍ଗେଟ କରି ଋଷ ଏବଂ ବେଲାଋଷ ବିରୋଧରେ ନୂତନ କଟକଣା ଘୋଷଣା କରିଛି।