ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ। ୧୫ ଦିନ ଫେରାର ରହିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଦୀପ ସିଦ୍ଧୁ ଗିରଫଦାରି ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୁଲିସ। ଜାନୁଆରୀ ୨୬ରେ ଚାଷୀ ଟ୍ରାକ୍ଟର ରାଲିରେ ଦୀପ ସିଦ୍ଧୁ ହିଂସା କରିବାକୁ ଉସକାଇଥିବା ନେଇ ଅଭିଯୋଗ ଆଣିଥିଲା କୃଷକ ସଂଗଠନ।

ଗଣତନ୍ତ୍ର ଦିବସରେ କେନ୍ଦ୍ର ସରକାରଙ୍କ ୩ ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଥିଲେ। ଚାଷୀମାନେ ବ୍ୟାରିକେଟ ଭାଙ୍ଗି ଦିଲ୍ଲୀକୁ ଧସେଇ ପସିବାରୁ ଲାଲକିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା। ଏହି ସମୟରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ଫେସବୁକରେ ଲାଇଭ ଯାଇଥିଲେ। ସେବେଠାରୁ ସେ ଫେରାର ରହିଥିଲେ।