ଜାମ୍ମୁ-କାଶ୍ମୀରର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୨୫ କୂଟନୀତିଜ୍ଞ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଦେଶୀ କୂଟନୀତିଜ୍ଞମାନେ ଘାଟିରେ ପହଞ୍ଚି ତୃଣମୂଳ ସ୍ତରରୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୂର୍ବରୁ ଏକ ପ୍ରତିନିଧି ଦଳ ଜାମ୍ମୁ-କାଶ୍ମୀର ଗସ୍ତ କରିଥିବାବେଳେ ବୁଧବାର ଆଉ ଏକ ଟିମ୍‌ ଶ୍ରୀନଗରରେ ପହଞ୍ଚିଛନ୍ତି। ଏଥିରେ ବିଭିନ୍ନ ଦେଶର ୨୫ କୂଟନୀତିଜ୍ଞ ସାମିଲ ଅଛନ୍ତି। ପ୍ରତିନିଧି ଦଳ ବୁଧବାର ପୂର୍ବାହ୍ଣ ୧୧ଟାରେ ଶ୍ରୀନଗରେ ପହଞ୍ଚିଥିଲେ। ସେଠାରେ ସଦସ୍ୟମାନେ ବାରାମୂଳ ଗସ୍ତ କରିଥିଲେ। ବାରାମୂଳାରୁ ଫେରିବା ପରେ ଶ୍ରୀନଗରରେ ସିଭିଲ ସୋସାଇଟି ସମେତ ବିଭିନ୍ନ ପ୍ରତିନିଧି ମଣ୍ଡଳୀଙ୍କୁ ସାକ୍ଷାତ କରି ଆଲୋଚନା କରିବେ। ଅଗଷ୍ଟ ୫ରୁ ଏଠାରେ ସୃଷ୍ଟି ହୋଇଥିବା ବାସ୍ତବ ପରିସ୍ଥିତି ବିଷୟରେ ଲୋକଙ୍କଠାରୁ ଅବଗତ ହେବେ।

ଏହି ପ୍ରତିନିଧି ଦଳରେ ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ଦେଶର କୂଟନୀତିଜ୍ଞ ସାମିଲ ଅଛନ୍ତି। ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କିନେଥ ଆଇ ଜଷ୍ଟରଙ୍କ ୧୫ କୂଟନୀତିଜ୍ଞଙ୍କ ଏକ ଟିମ୍‌ ଗତ ଜାନୁଆରୀ ୯ ଏବଂ ୧୦ତାରିଖ ଦିନ ଧରି ଜାମ୍ମୁ-କାଶ୍ମୀର ଗସ୍ତ କରିଥିଲେ। ଏହା ପୂର୍ବରୁ ଗତ ଡିସେମ୍ବରରେ ୟୁରୋପୀୟ ସଂଘର ସାଂସଦମାନେ ଏଠାକୁ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।