ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଆ ଆଇଏଫଏସ ଅଫିସର ଦିନେଶ କୁମାର ପଟ୍ଟନାୟକ ହୋଇଛନ୍ତି ସ୍ପେନ ଲାଗି ଭାରତର ରାଷ୍ଟ୍ରଦୂତ। ଦିନେଶଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ବା ଆଇସିସିଆରର ମହାନିର୍ଦ୍ଦେଶକ ଅଛନ୍ତି। ୧୯୯୦ ଆଇଏଫଏସ ଅଫିସର ଦିନେଶଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଦିନେଶ ଖୁବ୍ ଶୀଘ୍ର ଏହି ଦାୟିତ୍ବ ନେବେ।
ପୂର୍ବରୁ ସେ ଜେନେଭା, ଢାକ୍କା, ବେଜିଂ ଓ ଭିଏନାସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଆସିଛନ୍ତି। ଏହା ସହ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ସମ୍ଭାଳିଛନ୍ତି। ସେ ୨୦୦୯ରୁ ୨୦୧୨ ଯାଏଁ ଭିଏନାରେ ଡେପୁଟି ଆମ୍ବାସାଡର ଭାବେ ଦାୟିତ୍ବ ସମ୍ଭାଳିଥିଲେ। ପରେ ୨୦୧୨ରୁ ୨୦୧୫ ଯାଏଁ କାମ୍ବୋଡିଆର ରାଷ୍ଟ୍ରଦୂତ ଥିଲେ।
୨୦୧୬ରୁ ୨୦୧୮ ଯାଏ ସେ ଲଣ୍ଡନରେ ଡେପୁଟି ହାଇକମିସନର ଭାବେ ନିଯୁକ୍ତି ପାଇଥିଲେ। ସେ କୋଲକାତା ଆଇଆଇଏମରୁ ମାଷ୍ଟର ଡିଗ୍ରି ହାସଲ କରିଥିଲେ। ପରେ ସେ ଭିଏନ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ।