ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ୍ନ ଜାଲା

ଗାନ୍ଧୀନଗର,ଏଜେନ୍ସି: ଗୁଜୁରାଟର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ୍ନ ଜାଲାଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁବେଳକୁ ୮୮ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସେ ୧୯୬୨-୬୭ ବର୍ଷ ପାଇଁ ୱାନକାନରର ଜଣେ ବିଧାୟକ ହୋଇଥିଲେ। ଏହାପରେ ସ୍ୱାଧୀନ ପ୍ରାର୍ଥୀ ତଥା ୧୯୬୭-୭୧ରୁ ସ୍ୱାଧୀନ ପାର୍ଟିର ସଦସ୍ୟ ଥିଲେ। ଏହାପରେ ସେ କଂଗ୍ରେସରେ ଯୋଗଦେଇଥିଲେ। ୧୯୭୯ରୁ ୧୯୮୯ ପର୍ଯ୍ୟନ୍ତ ୨ ଥର ସୁରେନ୍ଦ୍ରନଗରରୁ ସାଂସଦ ହୋଇଥିଲେ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ପରିବେଶ ମନ୍ତ୍ରଣାଳୟ ପ୍ରତିଷ୍ଠା କରି ସେ ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ଦେଶର ପ୍ରଥମ ପରିବେଶ ମନ୍ତ୍ରୀ ହୋଇଥିଲେ। ମିଳିତ ଜାତିସଂଘରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ବିଶ୍ୱ ସମ୍ମୁଖୀନ ହେଉଥିବା ପରିବେଶ ପ୍ରସଙ୍ଗରେ ରଖୁଥିଲେ। ବନ୍ୟଜନ୍ତୁ ଏବଂ ପ୍ରକୃତିର ସଂରକ୍ଷଣ ପାଇଁ ଭାରତରେ ଅନେକ ଜାତୀୟ ଉଦ୍ୟାନ ଘୋଷଣା କରି ସେ କିଛି ପ୍ରମୁଖ ସଂସ୍କାର ଆଣିଥିଲେ। ଯେପରିକି ଭାରତୀୟ ରେଳବାଇ ସହିତ ସମନ୍ୱୟ ରକ୍ଷା କରି ରେଳ ଟ୍ରାକ୍ ତଳେ ଥିବା କାଠ ବଦଳରେ ସିମେଣ୍ଟ ବ୍ୟବହାର କରି ଭାରତରେ ବୃକ୍ଷକୁ ବଞ୍ଚାଇବାରେ ସାହାଯ୍ୟ କରିଥିଲେ।