ଟିକାର ଅଲଗା ଅଲଗା ଡୋଜ ନେଲେ କୌଣସି କ୍ଷତି ନାହିଁ: ଡ. ଭି କେ ପଲ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ମହାମାରୀ ସ୍ଥିତି ନିୟନ୍ତ୍ରଣକୁ ଫେରୁଛି। ଏହି ମଧ୍ୟରେ ଦେଶରେ ଟିକାକରଣ ଗତି ଧିମା ପଡ଼ିଯାଇଛି। ଏପରିକି ଦେଶର କେତେକ ରାଜ୍ୟରେ ଟିକା ନଥିବା କାରଣରୁ ଟିକାକରଣ ବନ୍ଦ କରିଦିଆଯାଇଛି। ଏହାଦ୍ୱାରା ବିଶେଷ କରି ୧୮-୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଭିତରେ କରୋନା ଟିକାର ଦୁଇ ଡୋଜରେ ବଦଳି କରାଯାଇଥିବା ଖବର ସାମ୍ନାକୁ ଆସିଛି। ଅର୍ଥାତ୍ ପ୍ରଥମ ଡୋଜ୍ କୋଭିସିଲ୍ଡ ଦିଆଯାଇଥିବା ବେଳେ ଦ୍ୱିତୀୟ ଡୋଜ କୋଭାକ୍ସିନ ଦିଆଯାଇଛି। ଏହି ଘଟଣାରେ ନିତି ଆୟୋଗର ସଦସ୍ୟ ଡ. ଭି କେ ପଲ ନିଜର ବୟାନ ଜାରି କରିଛନ୍ତି।

ସେ କହିଛନ୍ତି କି ନିକଟରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରର କିଛି ଅଞ୍ଚଳରେ ଭୁଲରେ କୋଭିସିଲ୍ଡର ପ୍ରଥମ ଡୋଜ ପରେ ଦ୍ୱିତୀୟ ଡୋଜରେ କୋଭାକ୍ସିନ ଦିଆଯାଇଛି। ଏହିପରି ଦେଶରେ ଆହୁରି କେତେକ ଅଞ୍ଚଳରେ ମଧ୍ୟ ଏଭଳି ହୋଇଥିବା ଜଣାପଡ଼ିଛି। ତେବେ ପ୍ରୋଟୋକଲ ଅନୁସାରେ ସ୍ୱାସ୍ଥ୍ୟକର୍ମୀ ସଜାଗ ରହିବା ଆବଶ୍ୟକ। ପ୍ରଥମ ଡୋଜରେ ଯେଉଁ ଟିକା ଦିଆଯାଉଛି ଦ୍ୱିତୀୟ ଡୋଜରେ ମଧ୍ୟ ସେହି ଟିକା ଦିଆଯାଉ ବୋଲି ଶ୍ରୀ ପଲ କହିଛନ୍ତି।

ଏଥିସହ ଯଦି ଏଭଳି ହୋଇଛି ତେବେ ଏହା କୌଣସି ଚିନ୍ତାର ବିଷୟ ହେବା ଆବଶ୍ୟକ ନୁହେଁ ବୋଲି ମଧ୍ୟ କହିଛନ୍ତି। ଏଥିସହ ଟିକାକରଣରେ ଡେଜ୍ ଅଦଳ ବଦଳ କଲେ ଇମ୍ୟୁନିଟି ବଢ଼ିଥାଏ, ତେଣୁ ଯେଉଁ ମାନଙ୍କୁ ଟିକାର ଅଲଗା ଅଲଗା ଡୋଜ୍ ଦିଆଯାଇଛି ସେମାନଙ୍କୁ ଚିନ୍ତା କରିବାର ଅବଶ୍ୟକ ନାହିଁ। ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଶ୍ରୀ ପଲ କହିଛନ୍ତି।