ପୃଥକ ସଡ଼କ ଦୁର୍ଘଟଣା, ୨୪ ଘଣ୍ଟା ମଧ୍ୟରେ ୫ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ରବିବାର ୫ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ କଟକ ଜିଲ୍ଲାର ରତାପାଟ ଗାଁ’ର ବଡ଼ମ୍ବା ଠାରେ ଦୁଇ ମହିଳାଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ରଙ୍ଗବତୀ ସାହୁ(୫୫) ଓ ତାରା ନାୟକ(୫୦)। ସେମାନେ ସକାଳୁ ସୌଚ ସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଏ ନେଇ ନରସିଂହପୁର ଓ ଆଠଗଡ଼ ଠାରେ ରାସ୍ତା ଅବରୋଧ କରାଯାଇ କ୍ଷତିପୂରଣ ଦାବି ହୋଇଛି।
ସେହିପରି ଅନୁଗୁଳ ଠାରେ ପ୍ରସନ୍ନ ରାଉତ ସ୍କୁଟି ଯୋଗେ ସପ୍ତାହିକ ହାଟରୁ ପରିବା କିଣି ଘରକୁ ଫେରୁଥିବା ବେଳେ ଏକ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାଟି ୫୫ନଂ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ଲୋକମାନେ ବ୍ଲକ୍ ରାସ୍ତାକୁ ଅବରୋଧ କରି ଟାୟାର ଜାଳୁଥିବା ଦେଖାଯାଇଛି।
ଅନ୍ୟପଟେ ଦେଓଗଡ଼ ଜିଲ୍ଲା ଜାତୀୟ ରାଜପଥ ୪୯ରେ କନ୍ଧଳ ଗାଁ’ରେ ଶନିବାର ରାତ୍ରିରେ ଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେମାନେ ହେଲେ କନ୍ଧଳ ଗ୍ରାମର ରମାକାନ୍ତ ରାଉତ ଓ କନ୍ଦର୍ପ ସାହୁ। ସୂଚନା ଅନୁସାରେ ରମାକାନ୍ତ ଶନିବାର ସଂନ୍ଧ୍ୟା ୭ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ କନ୍ଦର୍ପଙ୍କ ସହ ଧକ୍କ୍ା କରିଥିଲେ। ଫଳରେ ସେଠାରୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଚିକିତ୍ସିତ ଅବସ୍ଥାରେ କନ୍ଦର୍ପଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।