ଅର୍ଦ୍ଧସାମରିକ ବାହିନୀ ଓ ଆସାମ ରାଇଫଲରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ: ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ

ନିଆଦିଲ୍ଲୀ,ଏଜେନ୍ସି: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ଦେଖାଯାଇଥିବା ଛାତ୍ର ଅରାଜକତା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି। ପୂର୍ବ ସର୍ତ୍ତାବଳୀରେ ସଂଶୋଧନ କରି ସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ପ୍ରୟାସ ଆରମ୍ଭ କରିଛି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅର୍ଦ୍ଧସାମରିକ ବାହିନୀ ଓ ଆସାମ ରାଇଫଲରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ ଅଗ୍ନିବୀରଙ୍କ କାର୍ଯ୍ୟକାଳ ଶେଷ କରିବା ପରେ ସେମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଶାଖାରେ ଯୋଗ୍ୟତା ମାପଦଣ୍ଡରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ଏହି ସଂରକ୍ଷଣ ଭାରତୀୟ କୋଷ୍ଟଗାର୍ଡ ଓ ଡିଫେନ୍ସ ସିଭିଲିଆନ ପୋଷ୍ଟ ସମେତ ୧୬ ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧୀନରେ ମିଳିବ।

ସେହିପରି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳରେ ମଧ୍ୟ ସଂରକ୍ଷଣ ଲାଗୁ କରିବା ପାଇଁ ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିଲେ। ଆସାମ ରାଇଫଲ ଓ ସିଏପିଏଫ୍‌ରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ମିଳିବ ସଂରକ୍ଷଣ। ବର୍ତ୍ତମାନ ସୁଦ୍ଧା ଗୃହ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବଳ ଯଥା, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ଆଇଟିବିପି, ଏସ୍‌ଏସ୍‌ବି ଓ ସିଆଇଏସ୍‌ଏଫ୍‌ରେ ପ୍ରାୟ ୭୩ ହଜାରରୁ ଅଧିକ ପଦବୀ ଖାଲି ପଡିଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ୧୮,୧୨୪ ପୁଲିସ ପଦବୀ ମଧ୍ୟ ଖାଲି ପଡିଛି ।

ବର୍ତ୍ତମାନ ସେନାରେ ଭର୍ତ୍ତୀ ହେବାକୁ ଥିବା ଅଗ୍ନିବୀର ନିଜର ୪ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଏହି ସବୁ ବଳରେ ଭର୍ତ୍ତି ପାଇଁ ଅନ୍ୟ ତଥା ସାଧାରଣ ଆଶାୟୀଙ୍କ ପରିବର୍ତ୍ତେ ସଂରକ୍ଷଣ ବ୍ୟବସ୍ଥାର ଲାଭ ପାଇବେ।