ବର୍ଦ୍ଧିତ ତୈଳ ଦରର ଅଭିନବ ପ୍ରତିବାଦ: ବାହାଘରରେ ପେଟ୍ରାଲ ଗିଫ୍ଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବର୍ଦ୍ଧିତ ପେଟ୍ରାଲ ଦରକୁ କେନ୍ଦ୍ର କରି ଏକ ଅଭିନବ ପ୍ରତିବାଦ ଆଜି ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ପୁରୁଣାବସ୍ତିର ଘନଶ୍ୟାମ ପଟ୍ଟନାୟକଙ୍କ ପୁଅ ଦେବାଶିଷ ଓ ଶିବାନୀର ବିବାହ ଉତ୍ସବରେ ଯୋଗଦେଇ ତାଙ୍କ ସହପାଠୀମାନେ ୫ ଲିଟର ପେଟ୍ରାଲ ଉପହାର ଆକାରରେ ପ୍ରଦାନ କରିଛନ୍ତି। ହୁ ହୁ ହୋଇ ତୈଳ ଦର ବୃଦ୍ଧି ହେବା ଯୋଗୁ ମଧ୍ୟବିତ ପରିବାର ଉପରେ ପଡ଼ୁଥିବା ଅଜସ୍ର ଚାପକୁ ଲୋକଲୋଚନକୁ ଆଣିବା ପାଇଁ ଏପରି ନିଆରା ଉପାୟ ବଛାଯାଇଛି ବୋଲି ଏହି ଯୁବକମାନେ କହିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଯୋଗୁ ମଧ୍ୟବିତ ପରିବାରର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରହଣୀସହଣୀରେ ବ୍ୟାପକ ପ୍ରଭାବ ପକଉଛି। ଏହାସତ୍ତେ୍ୱ ସରକାର ଅହେତୁକ ଭାବରେ ତେଲ ଦର ବୃଦ୍ଧି କରୁଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଶୋଷଣର ଶିକାର ହେଉଛନ୍ତି। ତେଣୁ ଶୀଘ୍ର ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଇ ତୈଳଦର ହ୍ରାସ କରନ୍ତୁ ବୋଲି ଝାରସୁଗୁଡ଼ାର ଏହି ଯୁବକମାନେ କହିଛନ୍ତି।