ପୁଣି ବଢ଼ିଲା ଡିଜେଲ୍ ପେଟ୍ରୋଲ୍ ଦର, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,ଏଜେନ୍ସି: ପେଟ୍ରୋଲ୍ ଓ ଡିଜେଲ୍ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ। ଭୁବନେଶ୍ୱରରେ ୮୫.୩୬ରେ ପହଞ୍ଚିଛି ପେଟ୍ରୋଲ୍ ଦର। ଭାରତୀୟ ତୈଳ ବିପଣନ କମ୍ପାନୀମାନେ ପୁଣି ଥରେ ଆଜି ଡିଜେଲ୍ ଓ ପେଟ୍ରୋଲ୍ ଦରରେ ୨୫ ପଇସା ବୃଦ୍ଧି କରିଛନ୍ତି। । ସରକାରୀ ତୈଳ ବିପଣନ କମ୍ପାନୀମାନେ ଚଳିତମାସରେ ୪ର୍ଥ ଥରପାଇଁ ଡିଜେଲ୍ ଓ ପେଟ୍ରୋଲ୍ ଦରରେ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ୮୪.୭୦ ରେ ପହଞ୍ଚିଥିବା ସମୟରେ ଡିଜେଲ୍ ୭୪.୮୮ ପଇସାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ୍ ଲିଟର ୯୧.୩୨ ରେ ପହଞ୍ଚିଥିବା ସମୟରେ ଡିଜେଲ୍ ୮୧.୫୯ ପଇସାରେ ବିକ୍ରି ହେଉଛି। ଦିଲ୍ଲୀ ତଥା ମୁମ୍ବାଇରେ ଏହି ବୃଦ୍ଧି ଯୋଗୁ ଦର ରେକର୍ଡ ସ୍ତରକୁ ଛୁଇଁଛି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବରରେ ସରକାର ୬ଥର ତୈଳ ଦର ବୃଦ୍ଧି କରିଥିଲେ। ନୂଆ ନିୟମ ଅନୁସାରେ ତୈଳ ବିପଣନ କମ୍ପାନୀମାନେ ପ୍ରତିଦିନ ସମୀକ୍ଷାପରେ ଦର ବୃଦ୍ଧି ସ୍ଥିର କରୁଛନ୍ତି। ସକାଳ ୬ରୁ ସଂଶୋଧିତ ଦର ଲାଗୁ ହେଉଛି। ଆଜିର ଏହି ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ୍ ୮୫.୩୬ ଦରରେ ବ୍ରିକି ହେଉଥିବା ବେଳେ ଡିଜେଲ୍ ୮୧.୫୮ରେ ବିକ୍ରି ହେଉଛି ବୋଲି ଇଣ୍ଡିଆନ୍ ଅଏଲ୍ ୱେବ୍ସାଇଟ୍ରୁ ଜଣାପଡ଼ିଛି। ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅଧିକ ରହିଛି। ସୂଚନାଯୋଗ୍ୟ ଯେ ମେ ୨୦୨୦ ପର ଠାରୁ ପେଟ୍ରୋଲ୍ରେ ୧୫ ଟଙ୍କା ଓ ଡିଜେଲ୍ ଦରରେ ୧୨.୫୦ ଲେଖାଏଁ ବୃଦ୍ଧି ହେଲାଣି।