ଗ୍ରାମରେ ଡାଇରିଆ ଆତଙ୍କ, ଗ୍ରାମରେ ଡାକ୍ତରୀ ଦଳ ପହଞ୍ଚି ତଦନ୍ତ କଲେ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କନକତୋରା ପଞ୍ଚାୟତର କୁହାକୁଣ୍ଡାଗାମରେ ଡାଇରିଆ ଆତଙ୍କ ସୃଷ୍ଟି ହୋଇଛି। ଏହି ରୋଗରେ ବଲ୍ଲଭୀ ବାରିକ(୫୦) ଆକ୍ରାନ୍ତ ହୋଇ ଗୁରୁବାର ପ୍ରାଣ ହରାଇ ଥିବାବେଳେ ଗ୍ରାମର ୧୬ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ ପ୍ରାୟ ୧୦ ଦିନ ତଳେ ଗ୍ରାମର କେତେକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିବାବେଳେ ଗତ ୨୫ତାରିଖରୁ ଏହା ବ୍ୟାପକ ରୂପ ନେଇଥିଲା। ଫଳରେ ଗାଁରେ  ଡାଇରିଆରେ ଆକ୍ରାନ୍ତ ଲୋକମାନେ ପଡୋଶୀ ରାଜ୍ୟ ଛତିଶଗଡ଼ର ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲ୍ଲଭୀଙ୍କ ମୃତ୍ୟୁ ହୋଇଥିଲା।

ଗ୍ରାମରେ ଡାଇରିଆ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେବଢ଼ିବାରେ ଲାଗିଛି। ଲଖନପୁର ବ୍ଲକ୍‌ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ସହିତ ସଚେତନତା ସୃଷ୍ଟି କରାଯିବା ସହ ଆକ୍ରାନ୍ତମାନଙ୍କୁ ୧୮ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।

 ସମ୍ପର୍କରେ ସଡ଼ିଏମଓ ଜଗଦିଶ ଚନ୍ଦ୍ର ବାରିକଙ୍କୁ ପଚାରିବାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତଦନ୍ତକାରୀ ଦଳ ଓ ଲଖନପୁରରୁ ଏକ ଟିମ ଗ୍ରାମକୁ ଯାଇ ଅନୁଧ୍ୟାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।