ଭୁଲ ଚିକିତ୍ସା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ ଚିକିତ୍ସା ଯୋଗୁଁ ଜଣେ  ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ମାଲଗୋଦାମପଡ଼ା ପପୁ ହରପାଲଙ୍କ ସ୍ତ୍ରୀ ପ୍ରମିଳା ହରପାଲ (୨୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପ୍ରବସ ବେଦନା ହେବାରୁ ବୁଧବାର ରାତିରେ ପ୍ରମିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା।  ତାଙ୍କର ନର୍ମାଲ ଡେଲିଭରି କରିଦେବାକୁ କହି ଡ୍ୟୁଟିରେ ଥିବା ନର୍ସମାନେ ୨ ହଜାର ଟଙ୍କା ଲାଞ୍ଚ ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ଗରିବ ଲୋକ ହୋଇଥିବାରୁ ତାଙ୍କ ପାଖରେ ଏତେ ଟଙ୍କା ନଥିବା ସେମାନେ କହିଥିଲେ ।  ମହିଳାଙ୍କ ନର୍ମାଲ ଡେଲିଭରି ହେବାରୁ  ପରିବାର ଲୋକେ ନର୍ସଙ୍କୁ ୫୦୦ ଟଙ୍କା ଦେଇଥିଲେ । ଏହାପରେ ନର୍ସ ପ୍ରମିଳାଙ୍କୁ କପର୍ଟି ଲଗାଇଥିଲେ। ଡାକ୍ତରଙ୍କ ଅନୁପସ୍ଥିତିରେ ଏହା ଲଗାଯାଇଥିବାରୁ କୌଣସି ଏକ ଭ୍ୟାନ କଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପରେ ଡାକ୍ତର ଆସି ଚିକିତ୍ସା କରିଥିଲେ ମଧ୍ୟ  ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମାଲଗୋଦାମ ପଡାରେ ଉତ୍ତେଜନା ଦେଖା ଦେଇଥିଲା । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଯୋଗୁଁ ପ୍ରମିଳାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ପଡ଼ାବାସୀ ଦାବି କରିଥିଲେ । ଏହାସହିତ ଚିକିତ୍ସାରେ ଅବହେଳା ଓ ଲାଞ୍ଚ ମାଗିଥିବା ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ପରିବାର ତରଫରୁ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି।