ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକରେ ଝାଡାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାରିଗୁଡା, ପେରୁପାଙ୍ଗରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ୯ ଜଣ ଏବଂ ପରେ ୭ ରୋଗୀ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ବୁଧବାର ରାତିରୁ ଗାଁରେ ଝାଡାବାନ୍ତି ଆରମ୍ଭ ହେବା ପରେ ଗୁରୁବାର ସନ୍ଧ୍ୟାରେ ଏମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ପେରୁପଙ୍ଗାରେ ଏକ ଡ଼ାକ୍ତରି ଟିମ ପହଞ୍ଚି ଗାଁର ସ୍ଥିତି ଅନୁଧ୍ୟାନ କରିବା ସହ ପାଣିର ନମୁନା ସଂଗ୍ରହ କରିଛନ୍ତି ।

ଗାଁରେ ରହିଥିବା ଏକମାତ୍ର କୁଅକୁ ବ୍ଲିଚିଙ୍ଗ ପକାଇ ବିଶୋଧନ କରାଯାଇଥିବା କହିଛନ୍ତି ଡ଼ାକ୍ତର ସୌମ୍ୟରଞ୍ଜନ ପତି । ତେବେ ପ୍ରାଥମିକ ଅନୁଧ୍ୟାନରୁ କୂଅର ପାଣିରେ ଜୀବାଣୁ ସଂକ୍ରମିତ ହୋଇ ଝାଡ଼ାକାନ୍ତି ହୋଇଥିବା ଜଣାପଡ଼ିଥିବା ଡ଼ା. ପତି କହିଛନ୍ତି । ତେବେ ଉଭୟ ଗାଁରେ ଦୁଇଟି ଡ଼ାକ୍ତରୀ ଦଳ ପହଞ୍ଚି ଅନ୍ୟମାନଙ୍କୁ ପ୍ରତିଶେଧକ ଚିକିତ୍ସା କରାଯିବା ସହ ସ୍ଥିତି ଉପରେ ତିକ୍ଷଣ ନଜର ରଖିଥିବା ଡ଼ାକ୍ତର ସୌମ୍ୟରଞ୍ଜନ ପତି ସୂଚନା ଦେଇଛନ୍ତି ।