ଧର୍ମାନ୍ତିକରଣ ଉତ୍ତେଜନାରେ ଗୃହଦାହ: ଉପଜିଲ୍ଲାପାଳ, ଏସଡିପିଓଙ୍କ ସ୍ଥିତି ଅନୁଧ୍ୟାନ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ତାଡ଼ମା ପଞ୍ଚାୟତ ପିରିଗାଁରେ ଧର୍ମାନ୍ତିକରଣ ନେଇ ଜଣେ ଅଜଣା ବ୍ୟକ୍ତି ଗୋଟିଏ ପରିବାରର ଘର ଜାଳି ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବାସହ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଖବରପାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ ଉକ୍ତ ଗ୍ରାମ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଲୋକଙ୍କୁ ବୁଝାସୁଝା କରିଛନ୍ତି। ସେପଟେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ମୁଖ୍ୟତଃ ଆଗକୁ ବଡ଼ଦିନ ପର୍ବ ରହିଥିବାରୁ ଆଇନ୍ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଉଭୟ ପକ୍ଷକୁ ନେଇ ଶାନ୍ତି କମିଟି ଗଠନ କରାଯାଇଛି। ତେବେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଥିବା କହିଛନ୍ତି ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ।

ସୂଚନା ପ୍ରକାରେ ପିରିଗାଁରେ ଭାସ୍କର କାଡ୍ରାକା ନାମକ ଜଣେ ବ୍ୟକ୍ତି ପୂଜକ ଭାବେ କିଛି ବର୍ଷତଳେ କାମ କରୁଥିଲେ। ହେଲେ ୪ବର୍ଷ ପୂର୍ବେ ଭାସ୍କର ଏକ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅନ୍ୟ କିଛି ଗାଁ ଲୋକଙ୍କୁ ମଧ୍ୟ ପ୍ରବର୍ତ୍ତାଇ ନିଜ ସମ୍ପ୍ରଦାୟ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ଗାଁର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରୁଥିଲେ। ଫଳରେ ଗାଁରେ ଧର୍ମାନ୍ତିକରଣକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଶେଷରେ ଆଜି ସଂଘବଦ୍ଧ ହୋଇ କିଛି ଯୁବକ ଭାସ୍କରଙ୍କ ଗୃହଦାହ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଗାଁ ଲୋକଙ୍କ କହିବା କଥା ଭାସ୍କର ଗାଁର କାକୁଡ଼ିଖାଇ ଦେବୀ ପୀଠର ପୂଜକ ଭାବେ କାମ କରୁଥିବା ବେଳେ ଗାଁ ଲୋକେ ଜୀବିକା ନିର୍ବାହ ପାଇଁ ତାଙ୍କୁ ୧୧ ଏକର ଜମି ଦେଇଥିଲେ। ହେଲେ ଗତ ୨ବର୍ଷ ଧରି ଗାଁର ପୂଜା ପାଇଁ ତାଙ୍କୁ କିଛି କହିଲେ ସେ କୌଣସି ପଦକ୍ଷେପ ନେଉନଥିବା ଏବଂ ଗାଁ ଠାକୁର ପୂଜା ପରିବର୍ତ୍ତେ ଘରେ ପ୍ରାର୍ଥନା କେନ୍ଦ୍ର ଖୋଲିଥିଲେ। ଯାହାକୁ ଗାଁ ଲୋକେ ବିରୋଧ କରିଛନ୍ତି। ଏପରିକି ଭାସ୍କର ପରବର୍ତ୍ତୀ ମୂହୁର୍ତ୍ତରେ ସେ ଖ୍ରୀଷ୍ଟ ଧର୍ମ ନେବାରୁ ଉକ୍ତ ଜମିକୁ ନେଇ ଏହି ବିବାଦ ଉପୁଜିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।