ଅନ୍ତର୍ଜାତୀୟ କ୍ରିକେଟ ଖେଳରୁ ଅବସର ନେଲେ ମାହି

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି(ମାହି) ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଧୋନି ଲେଖିଛନ୍ତି “ଧନ୍ୟବାଦ, ତୁମର ପ୍ରେମ ଏବଂ ସମର୍ଥନ ପାଇଁ। 19: 29 ଘଣ୍ଟା ଠାରୁ ମୋତେ ଅବସରପ୍ରାପ୍ତ ବୋଲି ବିବେଚନା କର।”

ତେବେ ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି ହୋଇନାହିଁ।

ଇଣ୍ଡିଆ ଜର୍ସିରେ ଧୋନିଙ୍କ ଶେଷ ମ୍ୟାଚ ଥିଲା ଓଲ୍ଡ ଟ୍ରାଫର୍ଡରେ ୨୦୧୯ ବିଶ୍ୱକପ୍‌ର ସେମିଫାଇନାଲ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ହାରିଥିବା ବେଳେ, ସେ ସେହି ଦିନ ୭୨ ଟି ଡେଲିଭରିରୁ ୫୦ ରନ୍ କରିଥିଲେ।

୩୫୦ ମ୍ୟାଚ୍ ମଧ୍ୟରେ ଚାଲିଥିବା ODI କ୍ୟାରିୟରରେ ଧୋନି ୧୦,୭୭୩ ରନ୍ ସ୍କୋର କରିଥିଲେ। ସେଥିରେ ସର୍ବାଧିକ ୧୮୩ ସ୍କୋର କରି ନଟ ଆଉଟଥିଲେ। ସେ ତାଙ୍କ ନାମରେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧ ଶତକ କରିଛନ୍ତି।
ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ଭାବେ ସେ ODIରେ ୨୨୯ଟି ଛକା ମାରିଛନ୍ତି। ସେହିପରି ODI କ୍ରିକେଟରେ ୧୨୩ଟି ଷ୍ଟମ୍ପିଂ ସହିତ ୩୨୧ଟି କ୍ୟାଚ ଧରିଛନ୍ତି।

ଧୋନି ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତ ମେଲବୋର୍ଣ୍ଣ ଟେଷ୍ଟ ପରେ ଟେଷ୍ଟ କ୍ରିକେଟ୍ ଛାଡିଥିଲେ ଏବଂ ଜାନୁଆରୀ ୨୦୧୭ ରେ ବିରାଟ କୋହଲିଙ୍କୁ ODI ଏବଂ T20 ଅଧିନାୟକତ୍ୱ ଦେଇଥିଲେ।

ଧୋନି ୨୦୦୭ ରେ ରାହୁଲ ଦ୍ରାବିଡଙ୍କ ଠାରୁ ODI ଅଧିନାୟକ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୦ ଗେମର ୫୫ ପ୍ରତିଶତ ଜିତିଥିଲେ (୧୧୦ ଟି ବିଜୟ, ୭୪ ପରାଜୟ, ୫ ଟି ଡ୍ର, ୧୧ଟି NR)।