ବାଲିକୁମା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୪ ଜଣଙ୍କୁ ଆଜୀବନ ଜେଲ୍

ଢେଙ୍କାନାଳ,(ଏନ୍‌ଏନ୍‌ଏସ୍ ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ କଙ୍କଡ଼ାହାଡ଼ ଥାନା ବାଲିକୁମା ଗ୍ରାମର ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଏହି ରାୟରେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨୦ ହଜାର ଟଙ୍କା ଅର୍ଥଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ, ବାଲିକୁମା ଗ୍ରାମରେ ଜଣେ ଦଳିତ ବିଧବାଙ୍କର ୩ ପୁଅଙ୍କ ମଧ୍ୟରୁ ୨ ପୁଅ ବାହାରେ ରହୁଥିବା ବେଳେ ସାନ ପୁଅ ତା’ ପରିବାର ସହ ସେଠାରେ ରୁହନ୍ତି । ବିଧବା ୨୦୧୭ ମସିହା ଜୁନ ୧୨ ତାରିଖରେ ରାତିରେ ରୋଷେଇ ଘରେ ଏକାକୀ ଶୋଇଥିବା ବେଳେ ଗ୍ରାମର ହରିହର ପାତ୍ର, ରଘୁ ଲୋହାର, ଆନନ୍ଦ ପାତ୍ର, ସୁଦର୍ଶନ ଲୋହାର ପ୍ରମୁଖ ୪ ଜଣ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହ ବୀଭତ୍ସ ଭାବେ ହତ୍ୟା କରିଥିଲେ ।

ମୃତ ମହିଳାଙ୍କ ସାନପୁଅର ବୟାନକୁ ଆଧାର କରି ଅଭିଯୁକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେହିଦିନ ଠାରୁ ଏହି ଅଭିଯୁକ୍ତମାନେ ବିଚାର ବିଭାଗୀୟ କଏଦୀ ଭାବେ ହାଜତରେ ଥିଲେ । ଏହି ଘଟଣା ପରେ ୧୭ ଜଣ ସାକ୍ଷୀ ଓ ସାଇଣ୍ଟିଫିକ୍ ଟିମର ତଥ୍ୟକୁ ଆଧାର କରି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ପାତ୍ର ତାଙ୍କର ରାୟ ଶୁଣାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ସରକାରୀ ଓକିଲ ଗଣେଶ କୁମାର ବେହେରା ପରିଚାଳନା କରିଥିଲେ ।