ସତ୍କାର ନକରି ଫୋପାଡ଼ିଦେଲେ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ

ଢେଙ୍କାନାଳ,ଏନ୍ଏନ୍ଏସ୍ : କରୋନା ରୋଗୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେପରୁଆ ମନୋଭାବ ପଦାରେ ପଡ଼ିଛି। ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହକୁ ସତ୍କାର ବଦଳରେ ପ୍ରଶାସନିକ ଅଧିକାରୀ ରାସ୍ତାକଡ଼କୁ ଫୋପାଡ଼ି ଦେବା ଘଟଣା ଅସନ୍ତୋଷର ବିଷୟ ପାଲଟିଛି। ପ୍ରଶାସନର ଏଭଳି ଆମାନବୀୟ କାଣ୍ଡକୁ ଘୋର ନିନ୍ଦାକରିଛନ୍ତି ସ୍ଥାନୀୟ ଜନତା। ସୂଚନା ଅନୁଯାୟୀ, କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ମୁଣ୍ଡିଦେଉଳିର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରିବାରର ୫ଜଣ କୋଭିଡ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ କୋଭିଡ ଆକ୍ରାନ୍ତ ହୋଇ ଘରେ ଆଇସୋଲେସନରେ ଥିବା ବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କର ରବିବାର ମୃତ୍ୟୁଘଟିଛି। ମୃତ୍ୟୁର ଦୀର୍ଘ ସମୟ ପରେ ମଧ୍ୟ କେହି ସମ୍ପର୍କୀୟ କି ସାହିପଡ଼ିଶା; ସଂକ୍ରମଣ ଭୟରେ ଶବ ପାଖକୁ ଗଲେନାହିଁ। କିନ୍ତୁ ଖବର ପାଇ କାମାକ୍ଷାନଗର ଉପ ଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ମୃତଦେହକୁ ବନ୍ଦଘରୁ ଉଦ୍ଧାରକରି ଶବକୁ ସତ୍କାର କରିବା ପରିବର୍ତ୍ତେ ଶବକୁ ଫୋପାଡ଼ି ଦେଇଥିବା ଖବରମିଳିଛି।

ମୃତଦେହ ଗୁଣ୍ଡିଚାନାଳି ଗ୍ରାମଠାରୁ କିଛିଦୂରରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମରଶରୀରକୁ ଏପରି ବେପରୁଆ ଭାବେ ଫୋପାଡ଼ି ଦେବା ଶବପ୍ରତି ଘୋର ଅପମାନ ବୋଲି କୁହାଯାଉଛି। ଅନ୍ୟପଟରେ ଖୋଲା ଆକାଶତଳେ ପଡ଼ିରହିଥିବା ଆକ୍ରାନ୍ତ ମୃତଦେହକୁ କୌଣସି ଜଙ୍ଗଲୀ ପଶୁ ବା କୁକୁର ମାଧ୍ୟମରେ ସଂକ୍ରମଣ ହେବାର ଭୟ ସମସ୍ତଙ୍କୁ ଘାରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ସଂକ୍ରମଣ ଆଶଙ୍କାରେ ଆତଙ୍କିତ ହୋଇପଡ଼ିଛନ୍ତି। କାମାକ୍ଷାନଗର ପ୍ରଶାସନର ଏପରି ବେପରୁଆ ମନୋଭାବ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଶବପ୍ରତି ଦେଖାଇଥିବା ଅମାନବୀୟ ବ୍ୟବହାରକୁ ନେଇ ଆଲୋଡନ ସୃଷ୍ଟିହୋଇଛି।