ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାରେ ଆୟୁଷ୍ମାନ ଭାରତ ଓ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହି ଯୋଜନା ଗୁଡିକ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଅପାର ସମ୍ଭାବନାର ସୁଯୋଗ ରଖିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଆମ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇପାରିବ।
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡ଼ି ମାଧ୍ୟମରେ ଇ-ଗଭର୍ଣ୍ଣାନ୍ସରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିବ। ଏହା ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଯଥା-ମେଡିକାଲ ପରୀକ୍ଷା, ପୂର୍ବ ଔଷଧିୟ ସୂଚୀ, ରୋଗ ନିରାକରଣ, ଚିକିତ୍ସା ଉପଚାର, ସବୁ ସ୍ୱାସ୍ଥ୍ୟସେବା ରେକର୍ଡର ସୁବିଧା ପାଇପାରିବେ।
ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ମାଧ୍ୟମରେ ଦେଶର ଲୋକମାନେ ଯେକୌଣସି ସ୍ଥାନରେ ଡାକ୍ତରଙ୍କୁ ଖୋଜି ପାଇପାରିବେ ଓ ସେମାନଙ୍କ ସାକ୍ଷାତକାର୍ କରିପାରିବେ। ସେହିପରି ଏଥିରେ ପେମେଣ୍ଟ, ପ୍ରେସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ହେବ। ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କେବଳ ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଦେଶକୁ ଆର୍ଥିକ ସଂକଟରୁ ରକ୍ଷା କରିବ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ‘ସୁସ୍ଥ ଭାରତ’ ଦ୍ୱାରା ଆତ୍ମନିର୍ଭର ଭାରତର ନିର୍ମାଣ ହେଉ। ବିଶେଷ ଭାବରେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆମ ସମସ୍ତଙ୍କ କଳ୍ପନା ରହିଛି। ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ସଂସ୍ଥାକୁ ମଧ୍ୟ ସଶକ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।