ବୀର ସୁରେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ବିମାନ ବନ୍ଦରରେ ଆଜି ପୂର୍ବାହ୍ନରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ରେଙ୍ଗାଳି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଭୋଇ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ମହାନଦୀ କୋଇଲା କମ୍ପାନୀର ବରିଷ୍ଠ ଅଧିକାରୀ ଓପି ସିଂ, ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ମହାନ୍ତି ଓ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି  ଉପସ୍ଥିତ ଥିଲେ।

ଅବସରରେ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଝାରସୁଗୁଡା ବିମାନ ବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଲାଗିବା ଝାରସୁଗୁଡା ତଥା ସମସ୍ତ ରାଜ୍ୟବାସୀଙ୍କ ପାଇଁ ଗର୍ବର ବିଷୟ। ଦେଶ ବିଦେଶରୁ ଆସୁଥିବା ଯାତ୍ରୀମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗୀକୃତ କରିଥିବା ଓଡିଶାର ବୀର ସନ୍ତାନ  ସୁରେନ୍ଦ୍ର ସାଏ ବିଷୟରେ ଜାଣିପାରିବେ। ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଝାରସୁଗୁଡା ବିମାନ ବନ୍ଦରରେ ଲାଗିବା ପରେ ବିମାନବନ୍ଦରର ମାନ ବହୁଗୁଣା ବଢ଼ିଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଦେଶପାଇଁ ନିଜର ଜୀବନକୁ ଉତ୍ସର୍ଗିକୃତ କରିଥିବା ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନକୁ ସ୍ମରଣ କରିବା, ତାଙ୍କ ନିତିଆଦର୍ଶ ପରୋପକାର ମନଭାବରେ ଦେଶ ପାଇଁ କାମ କରିବାପାଇଁ ଲୋକଙ୍କୁ ଏହି ପ୍ରତିମୂର୍ତ୍ତି ଜାଗୃତ କରିବ।
ପ୍ରକାଶ ଯୋଗ୍ୟ ଯେ, ବୀର ସୁରେନ୍ଦ୍ରଙ୍କ ଏହି ପ୍ରତିମୂର୍ତ୍ତଟି ଏମସିଏଲ ପକ୍ଷରୁ ୪୫ ଲକ୍ଷ ଟଙ୍କା ବିନିଯୋଗରେ ସମ୍ପୂର୍ଣ୍ମ ବ୍ରାସରେ ତିଆରି କରାଯାଇଛି। ଏହାକୁ ଗାଜିଆବାଦର ମୁର୍ତ୍ତି କାରିଗର ପଦ୍ମଶ୍ରୀ ରାମ ସତାର ତିଆରି କରିଛନ୍ତି ବୋଲି ଏମସିଏଲ ପକ୍ଷରୁ କୁହାଯାଇଛି।