ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା -ଧର୍ମେନ୍ଦ୍ର

ପଶ୍ଚିମବଙ୍ଗ, ଏନ୍ଏନ୍ଏସ୍: ଜୟ ଶ୍ରୀରାମ୍ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଲ୍ଲେଖନୀୟ, ଏହି ନିର୍ବାଚନ ପ୍ରଚାର କରିବା ଅବସରରେ ପଶ୍ଚିମବଙ୍ଗରେ ବାସ କରୁଥିବା ଓଡ଼ିଆ ଲୋକମାନେ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ସବ୍କା ସାଥ, ସବ୍କା ବିକାଶ, ସବକା ବିଶ୍ୱାସକୁ ମୂଳମନ୍ତ୍ର କରିଛନ୍ତି। ଏହି ମନ୍ତ୍ରରେ ପ୍ରଧାନମନ୍ତ୍ରୀ ହିନ୍ଦୁ କିମ୍ବା ମୁସଲିମ ପ୍ରାର୍ଥକ୍ୟ ନଦେଖି ପଶ୍ଚିମବଙ୍ଗବାସୀଙ୍କୁ ଆବାସ ଯୋଜନାରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ୍, କରୋନା ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମୁଣ୍ଡପିଛା ୫ କେଜି ଚାଉଳ, ପରିବାର ପିଛା ଡାଲି, ଗ୍ୟାସ୍, ଜନଧନ ଯୋଜନାରେ ମହିଳାଙ୍କୁ ଟଙ୍କା ତଥା ଅନ୍ୟାନ୍ୟ ଆର୍ଥିକ ଏବଂ ଆନୁଷଙ୍ଗିକ ସହଯୋଗ ଦିଆଯିବାର ବ୍ୟବସ୍ଥା କରିଛନ୍ତି।

ଅପରପକ୍ଷରେ କିନ୍ତୁ ମମତା ଦିଦି ଜୟ ଶ୍ରୀରାମ ନାରାକୁ ଗାଳି ମାନୁଛନ୍ତି। ପଶ୍ଚିମବଙ୍ଗରେ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଭଗବାନ ମନାଯାଉଥିବା ବେଳେ ମମତା ଦିଦି ଏଥିରେ ଉତକ୍ଷିପ୍ତ କାହିଁକି? ଏହା କ’ଣ ପଶ୍ଚିମବଙ୍ଗର ସଂସ୍କୃତି ? ମମତା ଦିଦି ସାମ୍ପ୍ରଦାୟିକତାବାଦକୁ କାହିଁକି ନୀତି କରିଛନ୍ତି ବୋଲି ପ୍ରଶ୍ନକରିଛନ୍ତି ଶ୍ରୀ ପ୍ରଧାନ। ପଶ୍ଚିମବଙ୍ଗରେ ୧୦ବର୍ଷର ଟିଏମସି ଶାସନରେ ଦୁର୍ନୀତି, ଲୁଟ୍, ଲାଞ୍ଚ ବୃଦ୍ଧିପାଇଛି। ଏହି କାରଣରୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ବିକାଶମୁଖୀ ସରକାର କରିବାପାଇଁ ପଶ୍ଚିମବଙ୍ଗର ଜନତା ମନ ବନାଇସାରିଛନ୍ତି। ମମତା ଦିଦି ହାରିବା ଭୟରେ ଭୟଭୀତ ହୋଇଯାଇଛନ୍ତି। ଆସନ୍ତା ମଇ ୨ ତାରିଖରେ ତୃଣମୂଳ କଂଗ୍ରେସର ସଭାନେତ୍ରୀ ମମତା ଦିଦିଙ୍କ ପରାଜୟ ସୁନିଶ୍ଚିତ ହେବ। ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ଏଠାକାରବାସୀ ପ୍ରତିବଦ୍ଧ ଥିବା କହିଛନ୍ତି ଶ୍ରୀ ପ୍ରଧାନ। ସୂଚନାଯୋଗ୍ୟ, ଏହି ପ୍ରଚାର ଅବସରରେ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ସହ ଦକ୍ଷିଣେଶ୍ୱରୀ ମନ୍ଦିରରେ ମା’ କାଳୀଙ୍କୁ ଦର୍ଶନ କରିବା ସହ ନିକଟରେ ଥିବା ଦକ୍ଷିଣେଶ୍ୱର ରାମକୃଷ୍ଣ ସଂଘ ଅଧ୍ୟାପୀଠରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ।