କଟକ ଡିଜିଏଫଟି ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରଣ ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ(ଡିଜିଏଫଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ସ୍ଥାନାନ୍ତର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କର କଟକ ସ୍ଥିତ ଡିଜିଏଫଟି ଆଂଚଳିକ କାର୍ଯ୍ୟାଳୟ ଓଡିଶାର ରପ୍ତାନୀ ଓ ଆମଦାନୀକାରୀମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଉଛି। ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ବିକାଶ, ବିଶ୍ୱ ବାଣିଜ୍ୟ ଚୁକ୍ତି (ଡବ୍ଲୁଟିଓ) ଅନୁସାରେ କିମ୍ବା ବିଭିନ୍ନ ନିୟମକାନୁନ ତଥା ଆଂଟି ଡମ୍ପି ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ ଓଡିଶାର ରପ୍ତାନୀକାରୀମାନଙ୍କୁ ସାହାଯ୍ୟ ସହଯୋଗ କରୁଛି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଉପକୂଳବର୍ତ୍ତୀ ରାଜ୍ୟ ଓଡିଶାରେ ପାରାଦୀପ ଭଳି ବନ୍ଦର ରହିଛି।

ଦେଶରେ ଜାହାଜରେ ମାଲ୍ ରପ୍ତାନୀ କରିବା ଦିଗରେ ଏହି ବନ୍ଦର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଜାପାନକୁ ସାମୁ୍ଦ୍ରିକ ଖାଦ୍ୟ ରପ୍ତାନୀ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ବ୍ୟତିତ ରାଜ୍ୟର ଧାମରା ବନ୍ଦର ମଧ୍ୟ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ତଥା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆନରେ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରକୁ ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ଓଡିଶା ସର୍ବାଧିକ ଖଣିଜ ଦ୍ରବ୍ୟ, ହସ୍ତତନ୍ତ, ବନଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଏବଂ କୃଷି ଜାତ ଦ୍ରବ୍ୟ ରପ୍ତାନୀ କରୁଛି। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକ ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଏହାକୁ କଲିକତାର ପୂର୍ବତଟ ଡିଜିଏଫ୍ଟି କାର୍ଯ୍ୟାଳୟ ସହ ମିଶାଇବାକୁ ନିଷ୍ପତ୍ତି ନେଇଥିବାବେଳେ ଓଡିଶାର ବିକାଶ ତଥା ରାଜ୍ୟର ଉତ୍ପାଦନକାରୀ ଓ ରପ୍ତାନୀର ଲାଭକୁ ଦୃଷ୍ଟିରେ ରଖି ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।