ସିଏଏକୁ ନେଇ ଓଡ଼ିଶାରେ ଅରାଜିକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଏ ନେଇ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ଏହି ସମ୍ମିଳନୀରେ ସେ କହିଛନ୍ତି ଯେ ସଂସଦରେ ଐତିହାସିକ ଭୁଲକୁ ମୋଦୀ ସରକାର ସୁଧାରିଛନ୍ତି। ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବହୁ ଶରଣାର୍ଥୀ ଆସିଛନ୍ତି। ଆଉ ଭାରତ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବାଟ ଫିଟିଛି ବୋଲି କହିଛନ୍ତି।

ଏଥିସହ ନରେନ୍ଦ୍ର ମୋଦୀ ସରକାର ସିଏଏ ଆଣି ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ ଦେଶର ଜନତା ଏହାକୁ ସ୍ୱିକାର କରିଥିବାବେଳେ କଂଗ୍ରେସ ଅସହିଷ୍ଣୁ ହୋଇ ଏହାକୁ ବିରୋଧ କରୁଛି। ଦେଶରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ଗଣତନ୍ତ୍ରରେ ବାଦବିବାଦର ସ୍ଥାନ ଅଛି, କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ତେବେ ଓଡ଼ିଶାରେ ମଧ୍ୟ ହିଂସାକାଣ୍ଡ ପାଇଁ ଉଦ୍ୟମ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ତେଣୁ ଏଥିପାଇଁ ବିଜେପି, ଓଡିଶାରେ ଜନସମ୍ପର୍କ କାର୍ଯ୍ୟକ୍ରମ କରିବ ବୋଲି କହିଛନ୍ତି। ଏଥିସହ ଧର୍ମେନ୍ଦ୍ର କହିଛନ୍ତି ଯେ ରାଜ୍ୟର ୩କୋଟି ଲୋକଙ୍କ ପାଖକୁ ଯିବ ବିଜେପି । ସିଏଏକୁ ନେଇ ଓଡିଶାରେ ବ୍ୟାପକ ଜନଜାଗରଣ କରାଯିବ । ଶ୍ରୀଲଙ୍କା, ଉଗାଣ୍ଡାରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇଛି । ପାକିସ୍ତାନର ଅଦନାନ ସାମୀ, ତାରିକ ଫତେଙ୍କୁ ନାଗରିକତା ଦିଆଯାଇଛି । ସିଏଏକୁ ମୁସଲମାନ ବିରୋଧୀ ଭାବେ ଅପପ୍ରଚାର କରାଯାଉଛି । ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ କିଛି ଏଭଳି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।