ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମାଞ୍ଚଳର ଉନ୍ନତି କରିବା ସହ ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଆରମ୍ଭ କରିଛନ୍ତି। ଏଣୁ ଓଡ଼ିଶାର ଗ୍ରାମାଞ୍ଚଳର ଲୋକଙ୍କ ହିତପାଇଁ ଏହି ଯୋଜନାର କାର୍ଯ୍ୟକୁ ରାଜ୍ୟରେ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତର ଗାଁମାନଙ୍କରେ ଥିବା ଜମିର ସର୍ଭେ ଏବଂ ଏହାର ରେକର୍ଡ ଅଫ୍ ରାଇଟ ବହୁ ପୁରୁଣା। ଓଡ଼ିଶା ସମେତ ଭାରତରେ ଅନେକ ଜନବସତି ଅଞ୍ଚଳରେ ଦୀର୍ଘଦିନ ଧରି ସର୍ଭେ ହୋଇନାହିଁ। ଫଳସ୍ୱରୂପ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ଭୂସମ୍ପତ୍ତିର ମାଲିକାନାରେ ଥିବା ବ୍ୟକ୍ତିବିଶେଷଙ୍କ ପାଖରେ ନିଜ ସମ୍ପତ୍ତିର କୌଣସି ଆଇନଗତ ତଥ୍ୟ ନାହିଁ।
ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ସଠିକ୍ ଦସ୍ତାବିଜ୍ ନଥିବା କାରଣରୁ ଗାଁ ମାନଙ୍କରେ ଥିବା ବାସଗୃହ ଏବଂ ଜମି ଇତ୍ୟାଦିର ସଠିକ୍ ଉପଯୋଗ ହୋଇପାରୁନାହିଁ ଏବଂ ପଡ଼ୋଶୀଙ୍କ ମଧ୍ୟରେ ବୁଝାମଣା ଅଭାବ ରହୁଛି। ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪, ୨୦୨୦ରେ ପିଏମ୍ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି। ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତାଙ୍କ ଭୂସମ୍ପତ୍ତିର ରେକର୍ଡ ଅଫ୍ ରାଇଟ୍ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ଯାହା ଦ୍ୱାରା ସମ୍ପତ୍ତିର ମାଲିକଙ୍କୁ ଆଇନଗତ ମାଲିକାନା କାର୍ଡ୍ ପ୍ରଦାନ କରାଯିବ ଏବଂ ଜନବସତି ଜମିରେ ମାଲିକାନାକୁ ମଧ୍ୟ ସ୍ପଷ୍ଟ କରିହେବ। ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକେ ନିଜ ସମ୍ପତ୍ତିକୁ ଦେଖାଇ ଋଣ ନେଇପାରିବେ ଏବଂ ଅନ୍ୟାନ୍ୟ ଆର୍ôଥକ ସୁବିଧା ପାଇପାରିବେ। ଦ୍ୱିତୀୟତଃ ସମ୍ପତ୍ତି ଟିକସ ନିର୍ଦ୍ଧାରଣ ଦ୍ୱାରା ରାଜ୍ୟ ରାଜକୋଷକୁ ଲାଭ ମିଳିବ। ତୃତୀୟତଃ ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ବିକାଶ ପାଇଁ ଜମିର ସଠିକ୍ ତଥ୍ୟ ରହିବ ଏବଂ ସମ୍ପତ୍ତି ଜନିତ ବିବାଦ ମଧ୍ୟ ହ୍ରାସ ହେବ। ଚତୁର୍ଥତଃ ବନ୍ୟା ଏବଂ ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ସର୍ଭେ ପାଇଁ ଭିତ୍ତିଭୂମି ସୃଷ୍ଟି ହେବ ଏବଂ ଜିଆଇଏସ୍ ମ୍ୟାପ୍ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ। ଏହାବ୍ୟତିତ ଜିଆଇଏସ୍ ମ୍ୟାପ୍ ବ୍ୟବହାର ଦ୍ୱାରା ଗ୍ରାମପଞ୍ଚାୟତର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିହେବ ବୋଲି ଶ୍ରୀ ପ୍ରଧାନ ଯୁକ୍ତି ରଖିଛନ୍ତି।
ଚଳିତବର୍ଷ ଫେବୃୟାରୀରେ ଓଡ଼ିଶା ସରକାର ସର୍ଭେ ଅଫ୍ ଇଣ୍ଡିଆ ସହ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର କରିଛନ୍ତି ଏବଂ ରାୟଗଡ଼ାରେ ଏହାକୁ ପାଇଲଟ୍ ଭିତ୍ତିରେ କାର୍ଯ୍ୟ କରାଯାଉଛି । ମାତ୍ର ରାଜ୍ୟ ରାଜସ୍ୱ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହା ଉପରେ ଯେଉଁ ଗତିରେ କାର୍ଯ୍ୟ କରୁଛନ୍ତି, ଏହା ଦ୍ୱାରା ଏହି ଯୋଜନା ପ୍ରଭାବି ଢଙ୍ଗରେ କାର୍ଯ୍ୟକାରୀ କରିବା କଷ୍ଟକର ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି। ଯୋଜନା ସହ ଜଡ଼ିତ ଅନେକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସର୍ଭେକୁ ସାହାଯ୍ୟ କରିବା ପାଇଁ ରାଜ୍ୟକୁ ସିଓଆରଏସ୍କୁ ଯଥାଶୀଘ୍ର ଅନୁମତି ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠିରେ ଦର୍ଶାଇଛନ୍ତି।
୨୦୨୧ ରୁ ୨୦୨୫ ମଧ୍ୟରେ ପିଏମ୍ ସ୍ୱାମୀତ୍ୱ ଯୋଜନା ଅଧୀନରେ ସମଗ୍ର ଭାରତବର୍ଷରେ ୬.୬୨ ଲକ୍ଷ ଗାଁକୁ ଅନ୍ତର୍ଭୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏବେ ସୁଦ୍ଧା ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ଗୋଆ, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୭,୫୬୫ ଗାଁରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇସାରିଛି। ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଇ-ପ୍ରପର୍ଟି କାର୍ଡ୍ ପ୍ରସ୍ତୁତ କରାଯାଇଛି । ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ୩ ହଜାରରୁ ଉର୍ଦ୍ଧ୍ୱ ଗାଁରେ ୧.୭ ଲକ୍ଷ ପ୍ରପର୍ଟି କାର୍ଡ୍ ବିତରଣ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।