ଅଟକିଛି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଗଚ୍ଛିତ ଅର୍ଥ ସହରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ନହୋଇ ପଡି ରହିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ପୃଥକ ପତ୍ର ଲେଖି ସାହାଯ୍ୟ ଲୋଡ଼ିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୂଚନା ଅଧିକାର ନିୟମରେ ମିଳିଥିବା ତଥ୍ୟ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୫– ୧୬ରୁ ୨୦୧୭– ୮ ଆର୍ଥିକ ବର୍ଷରେ ରାଉରକେଲାର ବିକାଶ ପାଇଁ ୩୭୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ମାତ୍ର ଏହି ଅର୍ଥରୁ ୨୨.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଏହି ଅର୍ଥରୁ କନସଲଟାନ୍ସି ଓ ଦରମା ବାବଦରେ ୧୬.୩୭ କୋଟି ଟଙ୍କା ବ୍ୟୟ ହୋଇଥିବା ସୂଚନା ଅଧିକାରରେ ମିଳିଥିବା ତଥ୍ୟରେ ଉଲ୍ଲେଖ ଥିବା ଦର୍ଶାଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚୁର ଅର୍ଥ ବ୍ୟୟବରାଦ କରାଯାଇଥିବା ବେଳେ ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପର ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ ନକରିବା ମାମଲା ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।