ଭୁବନେଶ୍ବର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦୀର୍ଘଦିନ ପରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଟ୍ବିଟ ଯୋଗେ ଧର୍ମେନ୍ଦ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହେଉଥିବା ଚର୍ଚ୍ଚା, ବିବାଦ ଓ ଆଲୋଚନା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି।
ଟ୍ବିଟ କରି ଧର୍ମେନ୍ଦ୍ର କହିଛନ୍ତି ଶ୍ରୀମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଯେଭଳି ହଜାର ହଜାର ବର୍ଷର ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ କୀର୍ତ୍ତିରାଜି ମିଳୁଛି, ସେ ସବୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ ନୁହେଁ। ଜଣେ ଜଗନ୍ନାଥ ଭକ୍ତ ଓ ଓଡିଆ ସଂସ୍କୃତିର ଅନୁଯାୟୀ ଭାବେ ମୋର ଅପେକ୍ଷା, ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ।
ସେହିଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ବ ରହିଛି। ଶ୍ରୀମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତ୍ତି ନାହିଁ। ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ ବୋଲି ଧର୍ମେନ୍ଦ୍ର କହିଛନ୍ତି।