ମୁହଁ ଖୋଲିଲେ ସରପଞ୍ଚ, ‘ମୋ ସ୍ୱାମୀ ଜଣେ ଚରିତ୍ରବାନ ମଣିଷ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ପୁଣି ଏକ ନୂଆମୋଡ ନେଇଛି। ଏହି ଘଟଣାକୁ ନେଇ ଖୋଦ୍ ସରପଞ୍ଚ ମଧୁସ୍ମିତା ଭଦ୍ର ମୁହଁ ଖୋଲିଛନ୍ତି । ତାଙ୍କ କହିବାନୁସାରେ, ‘ମୋ ସ୍ୱାମୀଙ୍କ ନାମରେ ଯେଉଁଭଳି ସମ୍ବାଦ ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣ ମିଛ। ମୋ ସ୍ୱାମୀ ଜଣେ ଚରିତ୍ରବାନ ମଣିଷ ଓ ଅନ୍ୟର ଦୁଃଖ ସହିପାରନ୍ତି ନାହିଁ। ସ୍ମିତାରଣୀକୁ ସାହାଯ୍ୟ କରିବାକୁ ଯାଇ ସେ ଫସିଛନ୍ତି। ସ୍ମିତାରଣୀଙ୍କ ପରିବାର ସହ ଆମ ଭଲ ସଂପର୍କ ଥିଲା ଓ ଉଭୟ ପରିବାର ସାଥୀ ହୋଇ ବୁଲାବୁଲି କରୁ । ସ୍ମିତାରାଣୀଙ୍କ ତା ଶାଶୁଘର ସହ ଭଲ ସଂପର୍କ ଭଲ ନଥିଲା। ସ୍ମିତାଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ଆମେ ସାହାଯ୍ୟ କରୁଥିଲୁ। ଏ ଭିତରେ ସ୍ମିତାର ମୋ ସିନ୍ଦୁର ଉପରେ ଆଖି ଥିଲା ବୋଲି ମୁଁ ଜାଣିପାରିନଥିଲି। ମୋ ସ୍ୱାମୀଙ୍କ ଧନସମ୍ପତ୍ତିରେ ପ୍ରଲୋଭିତ ହୋଇ ସେ ଏପରି କରିଛି।’

ଅପରପକ୍ଷେ ସ୍ମିତାରାଣୀ ସ୍ୱାମୀ ସୁଶୀଲ ବିଶ୍ୱାଳ ହତ୍ୟା ଅଭିଯୋଗ ଆଣିଛନ୍ତି। ସରପଞ୍ଚଙ୍କ ସ୍ତ୍ରୀ ମଧୁସ୍ମିତା ଭଦ୍ର ମିଛ କହୁଥିବା ନେଇ ସେ କହିଛନ୍ତି। ଯଦି ସମ୍ପର୍କକୁ ନେଇ ସନ୍ଦେହ ଥିଲା ତେବେ ଆଗରୁ କାହିଁକି କହୁନଥିଲେ ସେ ପ୍ରଶ୍ନ କରିଛନ୍ତି।

ସ୍ମିତା-ରୂପେଶଙ୍କ ମଧ୍ୟରେ ସଂପର୍କ ଥିଲା। ଘଟଣା ଦିନ ରୂପେଶ ସ୍ମିତାଙ୍କୁ ତାଙ୍କ ଗେଷ୍ଟ ହାଉସକୁ ଡାକିବା ପରେ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ସ୍ମିତାରାଣୀ ଗେଷ୍ଟ ହାଉସର ଉପର ମହଲାରେ ଥିବା ବାଥରୁମକୁ ଯାଇ ସେଠାରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଏସ୍‌ପି କହିଥିଲେ। ଏନେଇ ରୂପେଶଙ୍କୁ ଦାୟୀ କରି ତାଙ୍କୁ ଗିରଫ କରିଛି ପୋଲିସ୍।