ଘରଡିହ ସହ ଥଇଥାନ ଦାବି କଲେ ବସ୍ତିବାସିନ୍ଦା

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ପୌରପରିଷଦ ୱାର୍ଡ ନମ୍ବର ୧୯ ଶାନ୍ତିପଡା ବାସିନ୍ଦାଙ୍କୁ ଘରଡିହ ସହ ଥଇଥାନ ଦାବି କରିଛି ଆମ ଆଦମୀ ପାର୍ଟୀ । ଦୋହରୀକରଣ ଯୋଗୁଁ ରେଲୱେ ଲାଇନ କଡରେ ଥିବା ଶାନ୍ତିପଡା ଉଚ୍ଛେଦ ହେବାକୁ ଥିବାବେଳେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଶୁକ୍ରବାର ଶାନ୍ତିପଡାର ବହୁ ମହିଲା ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ପହଂଚି ଧାରଣାରେ ବସିଥିଲେ । ସୂଚନା ଯୋଗ୍ୟ, ୱାର୍ଡ ନମ୍ବର ୧୯ ଅନ୍ତର୍ଗତ ଶାନ୍ତିପଡାରେ ରହୁଥିବା ଅଧିକାଂଶ ଲୋକେ ଭୂମିହୀନ ହୋଇଥିବା ବେଳେ ରେଲୱେ ଲାଇନ ଦୋହରୀକରଣ ଯୋଗୁଁ ଉକ୍ତ ବସ୍ତି ଉଚ୍ଛେଦ କରାଯିବ ବୋଲି ନୋଟିସ ଜାରି ହୋଇଛି । ପାଖାପାଖି ୪୦ ରୁ ୫୦ ପରିବାରଙ୍କ ଘର ଉଚ୍ଛେଦ ହେବାକୁ ଥିବାବେଳେ ପଡାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବର୍ତ୍ତମାନ ସେମାନଙ୍କ ବସ୍ତି ଉଚ୍ଛେଦ ହେବାକୁ ଥିବାବେଳେ ଶାନ୍ତି ନଗର ବାସିନ୍ଦା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜାଗା ମିଶନ ଜରିଆରେ ଘରଡିହ ସହ ଥଇଥାନ କରିବାକୁ ଦାବି କରିଛନ୍ତି। ଆମ ଆଦମୀ ପାର୍ଟୀର ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଶାନ୍ତିପଡାର ବହୁ ମହିଳା ଏଥିରେ ଧାରଣା ଦେଇଥିଲେ । ପରେ ଏଡିଏମ ମିର୍ଦ୍ଧା ଟପ୍ପୋ , ଉପଜିଲ୍ଲାପାଳ ପ୍ରଭାସ ଡନସେନା , ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ସାହୁ ପ୍ରମୁଖ ପହଞ୍ଚି ଆନ୍ଦୋଳନରତ ମହିଳାଙ୍କ ସହ ଆଲୋଚନା କରି ଏନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।