ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଶୁଟର୍ ଧନୁଷ ଶ୍ରୀକାନ୍ତ ବ୍ରାଜିଲ୍ର କାକ୍ସୋଲ୍ ଡୋ ସୁଲ୍ରେ ଚାଲିଥିବା ୨୪ତମ ଡିଫ୍ଲିମ୍ପିକ୍ସରେ ଜୋର୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ପ୍ରିୟେଶା ଦେଶମୁଖଙ୍କ ସହ ମିଶି ୧୦ ମିଟର ଏୟାର୍ ରାଇଫଲ୍ର ମିକ୍ସଡ୍ ଟିମ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଧନୁଷ ଓ ପ୍ରିୟେଶା ଟୁର୍ଣ୍ଣାମେଣ୍ଟ୍ର ଷଷ୍ଠଦିନ ସ୍ୱର୍ଣ୍ଣ ପଦକ ମ୍ୟାଚ୍ରେ ଜର୍ମାନୀର ସେବାଷ୍ଟିଆନ୍ ହରମାନି ଓ ସବରିନା ଏକର୍ଟଙ୍କୁ ୧୬-୧୦ରେ ପରାଜିତ କରିଛନ୍ତି। ପୁରୁଷ ୧୦ ମିଟର ଏୟାର୍ ରାଇଫଲ୍ର ବ୍ୟକ୍ତିଗତ ଇଭେଣ୍ଟ୍ ପରେ ଧନୁଷ୍ଙ୍କର ଟୁର୍ଣ୍ଣାମେଣ୍ଟ୍ରେ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ତେଲେଙ୍ଗାନାର ଧନୁଷ୍ ଅଲିମ୍ପିକ୍ ପଦକ ବିଜେତା ଗଗନ ନାରଙ୍ଗଙ୍କ ହାଇଦ୍ରାବାଦ୍ସ୍ଥିତ ଏକାଡେମୀରେ ଟ୍ରେନିଂ ନେଉଛନ୍ତି। ଡିଫ୍ଲିମ୍ପିକ୍ସରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ଶୁକ୍ରବାର ଅଭିନବ ଦେଶୱାଲ୍ ୧୦ମି. ଏୟାର୍ ପିସ୍ତଲ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହା ବ୍ୟତୀତ ସୌର୍ଯ୍ୟ ସାଇନି ପୁରୁଷ ୧୦ମି. ଏୟାର୍ ରାଇଫଲ୍ ଓ ବେଦିକା ଶର୍ମା ମହିଳା ୧୦ମି. ଏୟାର୍ ପିସ୍ତଲ୍ ଇଭେଣ୍ଟ୍ରେ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ୍ ପଦକ ଜିତିସାରିଛନ୍ତି। ଫଳରେ ଶୁଟିଂ ଇଭେଣ୍ଟ୍ରେ ଭାରତର ମୋଟ ପଦକ ସଂଖ୍ୟା ୫ରେ ପହଞ୍ଚିଛି। ଭାରତୀୟ ଯୋଡ଼ି ସୌର୍ଯ୍ୟ-ନତାଶା ଜୋଶୀ ମଧ୍ୟ ୧୦ ମିଟର ଏୟାର୍ ରାଇଫଲ୍ ମିକ୍ସଡ୍ ଟିମ୍ ଇଭେଣ୍ଟ୍ର ବ୍ରୋଞ୍ଜ୍ ପଦକ ମ୍ୟାଚ୍ରେ ପହଞ୍ଚିଥିଲେ। ମାତ୍ର ୟୁକ୍ରେନ୍ର ଓକେଲ୍ସାଣ୍ଡର୍ କୋତ୍ସିକ୍-ଓଲେଟା ଲିକୋଭା ଯୋଡ଼ି ଏହି ଯୋଡ଼ିକୁ ୧୬-୮ରେ ହରାଇଥିଲା। ଇଭେଣ୍ଟ୍ର କ୍ୱାଲିଫିକେସନ୍ ରାଉଣ୍ଡ୍ରୁ ହିଁ ଧନୁଷ ଓ ପ୍ରିୟେଶା ସେମାନଙ୍କ ଉନ୍ନତ ପ୍ରଦର୍ଶନ ଜାରି ରଖି ୪୧୪.୦ ସ୍କୋର୍ କରି ଶୀର୍ଷରେ ରହିଥିଲେ। ଜର୍ମାନ୍ ଯୋଡ଼ି (୪୦୮.୭) ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସୌର୍ଯ୍ୟ-ନତାଶା ଯୋଡ଼ି ୪୦୭.୪ ସ୍କୋର୍ ସହ ତୃତୀୟ ସ୍ଥାନରେ ରହିଥିଲା। ମାତ୍ର ଚତୁର୍ଥ ସ୍ଥାନରେ ଥିବା ୟୁକ୍ରେନ୍ ଯୋଡ଼ି ପଦକ ରାଉଣ୍ଡ୍ରେ ଭାରତୀୟ ଯୋଡ଼ିକୁ ହରାଇଥିଲା।