ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକାମ୍ବାଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାମନାଗୁଡ଼ା ଲ୍ୟାମ୍ପସ ସଭାପତି ନିମାଲା ଗଣପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଓ ରାମନାଗୁଡ଼ା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ପ୍ରମୁଖ ଯୋଗଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିପରି ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା । ଚଳିତ ବର୍ଷ ପ୍ରଥମ କରି ଖରିଫ ରତୁ ନିମନ୍ତେ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଥିବାବେଳେ ଧାନର ସର୍ବାଧିକ ମୂଲ୍ୟ ୨,୦୬୦ଟଙ୍କା ହୋଇଥିବାବେଳେ ସାଧାରଣ ଧାନର ମୂଲ୍ୟ ୨,୦୪୦ ଟଙ୍କା ରହିଛି । ତେବେ ପ୍ରତ୍ୟେକ ସୋମବାର ଉକୁମ୍ବା ପଞ୍ଚାୟତ, ମଙ୍ଗଳବାର ଗୁମୁଡ଼ା, ବୁଧବାର କୁଜେନ୍ଦ୍ରୀ ଓ ଶୁକ୍ରବାର ଚାକୁଣ୍ଡାରେ ନିୟନ୍ତ୍ରିତ ବଜାର କମିଟିରେ ଧାନକ୍ରୟ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରଥ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମିଲ ମାଲିକଙ୍କ ସମେତ ବହୁ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ । ରାମନାଗୁଡ଼ା ଲ୍ୟାମ୍ପସ କର୍ମଚାରୀ ସୁରେଶ ନିମାଲା ଓ ରମେଶ ମାଣ୍ଡାଙ୍ଗି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।