ଥାନା ପାଇଁ ଗାଇଡଲାଇନ ଜାରି କଲେ ଡିଜିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କାଳରେ ଲୋକଙ୍କ ଅଭିଯୋଗ ବୁଝିବାକୁ ନେଇ ପୁଲିସ ଡିଜିପିି ଅଭୟ କିଛି ଗାଇଡଲାଇନ ଜାରି କରିଛନ୍ତି। ଲୋକେ କିପରି ଅଭିଯୋଗ କରିବେ ଓ ଥାନା ଅଧିକାରୀ କିଭଳି ଅଭିଯୋଗ ବୁଝିବେ ସେନେଇ ଏକ ସମ୍ପୂର୍ଣ୍ଣ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଆଉ ଟ୍ୱିଟର, ଫେସବୁକରେ ଜିଲ୍ଲା ପୁଲିସ କଣ୍ଟ୍ରୋଲ ରୁମର ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ। ଥାନାକୁ ନଯାଇ ଫୋନ୍ କିମ୍ବା ଇମେଲରେ ଅଭିଯୋଗ କରିବାକୁ ଡିଜିପି ଗୁରୁତ୍ୱ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସବୁ ଥାନାରେ ଅଭ୍ୟର୍ଥନା କକ୍ଷ ରହିବ ଯାହା ଥାନା ମୁଖ୍ୟ କୋଠାଠାରୁ ଛାଡ଼ିକି ରହିବ। ଅଲଗା ଘର ନଥିଲେ ଟେଣ୍ଟ ଲଗାଯିବ ଓ ତା’କୁ ନିୟମିତ ଭାବେ ବିଶୋଧନ କରାଯିବ। ଥାନାକୁ ଆସୁଥିବା ଅଭିଯୋଗକାରୀ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସପି ଓ ଡିଏସପିଙ୍କ ମୁଖ୍ୟ ଫାଟକରେ ଫୋନ୍ ନମ୍ବର ଦିଆଯିବ। ଏଥିସହିତ ମୁଖ୍ୟ ଫାଟକରେ ଅଭିଯୋଗ ବାକ୍ସ ରଖାଯିବ ଯେଉଁଥିରେ ଲୋକେ ଅଭିଯୋଗ ପତ୍ର ପକାଇବେ ବୋଲି ଡିଜିପି କହିଛନ୍ତି।