କଟକ,ଏନ୍ଏନ୍ଏସ୍: ପୁଲିସ ଡିଜିପି ଶ୍ରୀ ଅଭୟ ଆଜି ପୂର୍ବାହ୍ଣରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ପୁଲିସ ପଦାଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଭୁବନେଶ୍ୱର ଡିସିପି ଓ କଟକ ଡିସିପି ଏବଂ କଟକ ଓ ରାଉରକେଲା ରେଳବାଇ ଆରକ୍ଷୀ ଅଧିକ୍ଷକ ଯୋଗ ଦେଇଥିଲେ। ଜଣେ ପୁଲିସ କର୍ମଚାରୀ ତଥା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ପରେ କି କାର୍ଯ୍ୟକ୍ରମ ଗ୍ରହଣ କରାଯିବ, ସାମ୍ପ୍ରତିକ ପରିସ୍ଥିତିରେ ଅଭିଯୁକ୍ତ ଗିରଫ, ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା ଆଦି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ସେହିଭଳି ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ପ୍ରସଙ୍ଗ, ନିଶାଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ, ଜିଲ୍ଲାଗୁଡ଼ିକ ଦ୍ୱାରା ଜେମ ପଞ୍ଜୀକରଣ (ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ) ପ୍ରସଙ୍ଗ, ପୁଲିସ ପଦକ ପାଇଁ ମନୋନୟନ, ପୁଲିସ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ବର୍ତ୍ତମାନ ସ୍ଥିତି, ପୁଲିସ କର୍ମଚାରୀଙ୍କ ପାଇଁ ପୁଲିସ ଦ୍ୱାରା ପରିଚାଳିତ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍ ଏବଂ କର୍ମଚାରୀଙ୍କ ବ୍ୟକ୍ତିଗତ ଅଭାବ ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅତିରିକ୍ତ ଆରକ୍ଷୀ ନିର୍ଦ୍ଦେଶକ (ରେଳବାଇ) ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡକ୍ୱାର୍ଟର୍ସ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ଆର୍ କେ ଶର୍ମା, ଆଇଜି (ଆଧୁନିକୀକରଣ) ରେଖା ଲୋହାନି, ଆଇଜି (ପ୍ରୋଭିଜନିଂ) ଯତିନ୍ଦ୍ର କୋୟଲ, ଆଇଜି (ପର୍ସୋନେଲ ଓ ଆଇନଶୃଙ୍ଖଳା) ପ୍ରବୀଣ କୁମାର ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।