ଡାକ୍ତରଙ୍କ ସୁରକ୍ଷା ନେଇ ଡିଜିପିଙ୍କ ଆଲୋଚନା

କଟକ,ଏନ୍ଏନ୍ଏସ୍: ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଭାରତୀୟ ମେଡିକାଲ ସଂଘ ଓଡ଼ିଶା ଶାଖାର ପଦାଧିକାରୀ ଓ ସଦସ୍ୟଙ୍କ ସହ ଡିଜିପି ଶ୍ରୀ ଅଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟସେବା ଅଧିକାରୀ ଓ କର୍ମୀଙ୍କର ସୁରକ୍ଷା ଏବଂ ତାଙ୍କ ବିରୋଧରେ ଘଟୁଥିବା ଅପରାଧ ନିରାକରଣ ସଂକ୍ରାନ୍ତରେ ମୁଖ୍ୟତଃ ଆଲୋଚନା ହୋଇଥିଲା। କୋଭିଡ୍-୧୯ ପରିସ୍ଥିତି ସମୟରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କର ସୁରକ୍ଷା ସମ୍ବନ୍ଧରେ ଓଡ଼ିଶା ପୁଲିସର ପ୍ରତିବଦ୍ଧ ବିଷୟରେ ଡିଜିପି ସୂଚାଇ ଥିଲେ। ଭାରତୀୟ ମେଡିକାଲ ସଂଘ ଓଡ଼ିଶା ଶାଖାର ପୂର୍ବତନ ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବର୍ତ୍ତମାନର ସଭାପତି ଡାକ୍ତର ନିବେଦିତା ପାଣି, ସମ୍ପାଦକ ଡାକ୍ତର ବ୍ରଜକିଶୋର ଦାସ ଓ ଅନ୍ୟ ସଦସ୍ୟମାନେ ଏହି ଆଲୋଚନାରେ ଉପସ୍ଥିତ ଥିଲେ।

ଭାରତୀୟ ମେଡିକାଲ ସଂଘ ଓଡ଼ିଶା ଶାଖାର ସଦସ୍ୟମାନେ ଏହି ସମୟରେ ପୁଲିସର କଠିନ ପରିଶ୍ରମ ଏବଂ ବିଶେଷକରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପ୍ରତି ଅକୁଣ୍ଠ ସହଯୋଗର ପ୍ରଶଂସା କରିଥିଲେ। ସେମାନେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଘଟୁଥିବା ହିଂସା ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏତଦ୍ବ୍ୟତୀତ ଜିଲ୍ଲାସ୍ତରରେ ଜିଲ୍ଲା ପୁଲିସ ଏବଂ ଜିଲ୍ଲା ଆଇଏମ୍ଏ ଶାଖାର ପଦାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ନିବେଦନ କରିଥିଲେ। ଶେଷରେ ସମ୍ପ୍ରତି ପ୍ରଚଳିତ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାକୁ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଜାରି ରଖିବାକୁ ଭାରତୀୟ ମେଡ଼ିକାଲ ସଂଘ ଓଡ଼ିଶା ଶାଖା ପଦାଧିକାରୀମାନେ ଡିଜିପିଙ୍କୁ ଅନୁରୋଧ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ।