ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଫୋକସରେ ଆଦିବାସୀଙ୍କ ବିକାଶ । ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୯ଟି ଜିଲ୍ଲାକୁ ନେଇ ଗଠିତ ହେଇଥିଲା । ଗତ ୧୪ ତାରିଖରେ ଏଥିରେ ରାଜ୍ୟର ଆଉ ୧୪ଟି ଜିଲ୍ଲାକୁ ସାମିଲ କରାଯାଇଥିଲା । ଏହାକୁ ଏବେ ରାଜ୍ୟ ସରକାର କ୍ରିୟାଶୀଳ କରିଛନ୍ତି । ଏହାକୁ ପରିବର୍ଦ୍ଧିତ କରି ସଦସ୍ୟ ଭାବେ ବିଭିନ୍ନ ବିଭାଗର ସଚିବଙ୍କୁ ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି । ପୂର୍ବରୁ ଥିବା ଉପଦେଷ୍ଟାଙ୍କୁ ଅଧ୍ୟକ୍ଷ ଓ ଉନ୍ନୟନ କମିଶନଙ୍କୁ ଉପାଧ୍ୟଷ ଭାବେ ବିଜ୍ଞପ୍ତି ମାଧ୍ୟମରେ ନିଯୁକ୍ତି ଦିଆଯାଇଛି । ନୂଆ ରୂପେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ଭାବେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀଙ୍କୁ ନିଯୁକ୍ତି ମିଳିଛି । ଏହାର ଉପାଧ୍ୟକ୍ଷ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଛନ୍ତି । ସଭ୍ୟ ଭାବେ ଅର୍ଥ ସଚିବ, ରାଜସ୍ୱ ସଚିବ,ପଞ୍ଚାୟତରାଜ ଓ ପାନୀୟ ଜଳ ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ସଂସ୍କୃତି ସଚିବ, ୱାର୍କ୍ସ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ, ଗଣଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ସଚିବ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ସଚିବ ସଭ୍ୟ ରହିଛନ୍ତି । ରାଜ୍ୟର ୨୩ ଟି ଜିଲ୍ଲାର ପ୍ରାୟ ୮୦ ଲକ୍ଷରୁ ଅଧି ଓ ଜନଜାତିର ଲୋକେ ଉପକୃତ ହେବେ । ଜନଜାତିଙ୍କ କଳା ଓ ସଂସ୍କୃତିର ବିକାଶ ଏବଂ ସୁରକ୍ଷା ପାଇଁ ବର୍ଷକୁ ପ୍ରାୟ ୪୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ପରିବର୍ଦ୍ଧିତ ଓ ଶକ୍ତିଶାଳୀ କରିଛନ୍ତି । ଅନୁସୂଚିତ ଜନଜାତିଙ୍କ ସାମୁହିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ଓ ଚିନ୍ତାଧାରାକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ବୋଲି ଅଧ୍ୟକ୍ଷ ପ୍ରଦୀପ ମାଝୀ କହିଛନ୍ତି ।