ଉନ୍ନୟନ କମିଶନରଙ୍କ ଝାରସୁଗୁଡା ଗସ୍ତ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଉନ୍ନୟନ କମିଶନର ପ୍ରଦୀପ ଜେନା ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରିଥିଲେ। ଶ୍ରୀ ଜେନା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବୁଲି ଦେଖି ସମୀକ୍ଷା କରିବାସହ କୋଭିଡର ଦ୍ୱିତୀୟ ଲହରୀର ସଫଳ ମୁକାବିଲା ପାଇଁ ଆଲୋଚନା କରିଛନ୍ତି। କୋଭିଡ ମୁକାବିଲା ନେଇ ଶ୍ରୀ ଜେନା କହିଛନ୍ତି ବିଶେଷକରି ଓଡ଼ିଶାରେ କୋଭିଡ ସଂକ୍ରମଣ ଦୁଇଟି କ୍ଲଷ୍ଟରେ ଦେଖିବାକୁ ମିଳୁଛି। ପ୍ରଥମତଃ ଛତିଶଗଡସହ ଲାଗି ରହିଥିବା ଝାରସୁଗୁଡା, ସୁନ୍ଦରଗଡ ପରି ଜିଲ୍ଲାଗୁଡିକରେ ସଂକ୍ରମଣ ବୃଦ୍ଧି ପାଉଛି। ଦ୍ୱିତୀୟରେ ଭୁବନେଶ୍ୱର, କଟକ ଓ ପୁରୀରେ ବୃଦ୍ଧି ପାଉଛି। ଏହି ଜିଲ୍ଲାଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଜର ରଖାଯିବାସହ ସଂକ୍ରମଣକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଲୋକେ ଗାଇଡ ଲାଇନ ମାନିଲେ ପରିସ୍ଥିତି ଆପେ ଆପେ ଆୟତ ହୋଇଯିବ ବୋଲି ଶ୍ରୀ ଜେନା କହିଛନ୍ତି। କୋଭିଡ ନିୟମ ମାନିଲେ ଲକ ଡାଉନ ଏବଂ ସଟଡାଉନକୁ ଆଡେଇଦେଇ ହେବ ବୋଲି ସେ କହିଛନ୍ତି । ଝାରସୁଗୁଡାରେ କୋଭିଡ ପ୍ରସ୍ତୁତି ବିଷୟରେ ସୂଚନାଦେଇ କହିଛନ୍ତି ଏବେ ଜିଲ୍ଲାରେ ୨୦ ଶଯ୍ୟା ପ୍ରସ୍ତୁତ ରହିଛି। ଆଗାମୀ ଦିନରେ ଏହାକୁ ବଢାଇ ୬୦ କରାଯିବ ଏବଂ ଆବଶ୍ୟକସ୍ଥଳେ ଏହାକୁ ଆହୁରି ବୃଦ୍ଧି କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
ସେହିପରି ଶ୍ରୀ ଜେନା ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଡିଏମଏଫ ପାଣ୍ଠିରେ ହେଉଥିବା କାର୍ଯ୍ୟ, ପିପିଇ ମୋଡରେ ତିଆରି ଚାଲିଥିବା ହାର୍ଟ ହସ୍ପିଟାଲ, ଜଳ ସେଚନ ବିଭାଗର ବିଭିନ୍ନ କାର୍ଯ୍ୟ, ଏନଆରଇଜିଏସର ବିଭିନ୍ନ କାମ, ଏଗ୍ରି କନଭରଜେନ୍ସ ପ୍ରୋଗ୍ରାମ, ଶିକ୍ଷାର ଉନ୍ନତି, ସ୍ୱାସ୍ଥ୍ୟ ବିଭାଗ, କୃଷି, ଫିସରି ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଏହାକୁ ଆହୁରି ଭଲ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ଶ୍ରୀ ଜେନା ଆବଲୋଚନା କରିଥିଲେ। ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟ ପ୍ରମୁଖଙ୍କସହ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।