ନବ ବିବାହିତ ଯୁବକଙ୍କୁ ହତ୍ୟା, ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ

ଦେବଗଡ଼,ଏନ୍ଏନ୍ଏସ୍ : ରିଆମାଳ ଥାନା କେନ୍ଦୁଘାଟ ଗ୍ରାମ ନିକଟସ୍ଥ ମକାମୁଣ୍ଡା ରାସ୍ତା କଡ଼ରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରିଆମାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଭେରୁବଣୀ ଗ୍ରାମର ଗଣେଶ୍ୱର ସାହୁଙ୍କ ପୁଅ ଅନୀଲ ସାହୁ (୨୨)ଙ୍କ ଗତ ୩୦ ତାରିଖ ଦିନ ବିବାହ ହୋଇଥିବାବେଳେ ଗତକାଲି ଅନୀଲ ଦେବଗଡ ବ୍ୟାଙ୍କରୁ ଟଙ୍କା ଉଠାଇବା ସହ ଗ୍ୟାସ ଚୂଲା , କପଡ଼ା ଇତ୍ୟାଦି କିଣିବା ପାଇଁ ଆସିଥିଲେ। ଅନୀଲ ବଜାରରୁ କିଣା ବିକା କରିବା ପରେ ସଂନ୍ଧ୍ୟା ସମୟରେ ନିଜ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ଘରକୁ ଫେରୁଥିବା ନେଇ ସୂଚନା ଦେଇଥିବା ଅନୀଲଙ୍କ ପିତା କହିଛନ୍ତି। ତେବେ ବିଳମ୍ବ ହେବାସହ ଅନୀଲଙ୍କ ଫୋନ ନ ଲାଗିବାରୁ ପରିବାରଲୋକେ ବ୍ୟସ୍ତ ବିବ୍ରତ ହୋଇ ଖୋଜିବା ପାଇଁ ଘରୁ ବାହାରିଥିଲେ। ସଂନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ କେନ୍ଦୁଘାଟ ଗ୍ରାମ ନିକଟସ୍ଥ ମକା ମୁଣ୍ଡା ରାସ୍ତା କଡ଼ରେ ଏକ ଗଛରେ ଅନୀଲକୁ କେହି ଦୁର୍ବୃତ୍ତ ହତ୍ୟାକରି ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଅନୀଲଙ୍କ ଭାଇ ସୁନୀଲ ସାହୁ ରିଆମାଳ ଥାନାରେ ଜମାଇବା ସହ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନୀଲଙ୍କ କାହାରି ସହ ଶତୃତା ନ ଥିବା ମୃତକଙ୍କ ପରିବାର କହୁଥିବା ବେଳେ ଅନୀଲଙ୍କ ବିବାହ ସ୍ଥିର ହେବା ୨ ଦିନପରେ ବାରକୋଟ ଥାନା ବାଲିପଶି ଗ୍ରାମରେ ରହୁଥିବା ସମ୍ପର୍କୀୟ ମେଘୁ ସାହୁ , ରଞ୍ଜନ ସାହୁ ଏବଂ ରିଆମାଳ ଥାନା ତାରଙ୍ଗ ଗ୍ରାମର କାଳିଆ ସାହୁ ଉକ୍ତ ବିବାହକୁ ବିରୋଧ କରି ଅନୀଲକୁ ସେଠାରେ ବିବାହ କଲେ ଶାନ୍ତିରେ ରଖାଇ ନ ଦେବାର ଧମକ ଦେଇ କାରଣରୁ ଏହି ହତ୍ୟା ପଛରେ ଏମାନଙ୍କ ସଂପୃକ୍ତି ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିବା ଜଣାପଡିଛି।