ଉପନଗରପାଳ ଓ କାଉନସିଲରଙ୍କୁ ମିଳିଲାନି କାର୍ଯ୍ୟାଳୟ ପ୍ରକୋଷ୍ଠ: ଗଛ ମୂଳେ ଚାଲିଛି ଅଫିସ କାର୍ଯ୍ୟ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦେବଗଡ଼ ପୌର ପରିଷଦର ନବନିର୍ବାଚିତ କାଉନସିଲର ଓ ଉପନଗରପାଳଙ୍କ ପାଇଁ ପୌର କର୍ତୃପକ୍ଷ କୌଣସି କାର୍ଯ୍ୟାଳୟ କୋଠରୀ ବ୍ୟବସ୍ଥା କରୁନଥିବାରୁ ପୌର କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ପୂର୍ବାହ୍ନରେ ନବନିର୍ବାଚିତ ଉପନଗରପାଳ ପ୍ରଜିତ କୁମାର ଭୋଜ, କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ଓ କାର୍ତ୍ତିକ ମହାକୁଳଙ୍କ ସମେତ ଅନ୍ୟ କେତେକ କାଉନସଲର ପୌର କାର୍ଯ୍ୟାଳୟକୁ ଆସିବା ପରେ ସେମାନଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା ନଥିବା ଦେଖି କାର୍ଯ୍ୟାଳୟ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ନ ଦେବାଯାଏଁ କୌଣସି ବ୍ୟବସ୍ଥା କରିବା ଅସମ୍ଭବ ବୋଲି ପୌର କର୍ମଚାରୀମାନେ ପ୍ରକାଶ କରିବା ପରେ ପୌର କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ଉପନଗରପାଳ ଶ୍ରୀ ଭୋଜ, କାଉନସିଲର ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟ କାଉନସିଲରମାନେ ପୌର କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛ ମୂଳେ ବସି ଜନସାଧାରଣଙ୍କ ସମସ୍ୟା ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଯଦି ଆଗାମୀ ୩ଦିନ ମଧ୍ୟରେ କୌଣସି ସମାଧାନ ନହୁଏ ତା’ହେଲେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି ।