ଡରାଇଲାଣି ବାତ୍ୟା ଆଶଙ୍କା: ଆଣ୍ଡାମାନରେ ସୃଷ୍ଟି ହେଲା ଲଘୁଚାପ, ୧୦ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। କ୍ରମେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତ କରି ୨ରୁ ୩ ଦିନ ମଧ୍ୟରେ କେନ୍ଦ୍ରିୟ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ବେଳକୁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

ଅନ୍ୟପକ୍ଷରେ ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଗୁଡ଼ିକ ଅଧିକ ଶକ୍ତିଶାଳୀ ହେଉଥିବା ସହ ଓଡ଼ିଶାରେ ଏହି ସମୟରେ ବାତ୍ୟା ହୋଇଥାଏ। ତେବେ ଏହାକୁ ନେଇ ବାତ୍ୟା ଆଶଙ୍କା ସୃଷ୍ଟି ମଧ୍ୟ ହୋଇଛି। ମାତ୍ର ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।

ଅନ୍ୟପକ୍ଷରେ ଆସନ୍ତା ୫ ତାରିଖ ପରଠାରୁ ସମୁ୍ଦ୍ର ଅଶାନ୍ତ ରହିବା ସହିତ ପବନର ବେଗ ମଧ୍ୟ ବଢ଼ିବ ବୋଲି କୁହାଯାଇଛି। ତେଣୁ ୫ ତାରିଖ ପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି। ଅପରପକ୍ଷେ ୯ ତାରିଖ ସନ୍ଧ୍ୟା ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇ ଉପକୂଳ ଅଞ୍ଚଳରେ ୧୦ ଓ ୧୧ରେ ବର୍ଷା ହେବ। ବିଶେଷ କରି ପୁରୀଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ରକୁ ଲାଗିଥିବା ଅଞ୍ଚଳଗୁଡ଼କରେ ବର୍ଷାର ପରିମାଣ ଅପେକ୍ଷାକୃତ ଅଧିକ ରହିବା ସହିତ କେତେକ ସ୍ଥାନରେ ଭାରିବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।

ସେହିପରି ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଏହି ବର୍ଷାର ପରିମାଣ କମ୍ ରହିବ। ଅନ୍ୟପକ୍ଷରେ ବର୍ଷା ନେଇ ପାଣିପାଗ ବିଶେଷଜ୍ଞମାନେ ସ୍ପଷ୍ଟ ସୂଚନା ଦେଉଥିବା ବେଳେ ବାତ୍ୟ ଆଶଙ୍କାକୁ ମଧ୍ୟ ଅଡ଼ାଇ ଦିଆଯାଉନାହିଁ। ପ୍ରଫେସର ପଶୁପାଳକଙ୍କ କହିବା ଅନୁଯାୟୀ ପାଣିପାଗର ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ସ୍ଥଳଭାଗକୁ ଆସିଲା ବେଳ ଦୂର୍ବଳ ହେବାର ମଧ୍ୟ ସମ୍ଭାବନା ରହିଛି। ଯଦି ଏହା ନହୁଏ ତାହେଲେ ଲଘୁଚାପଟି ଆଣ୍ଡାମାନ ଅତିକ୍ରମ କରିବା ପରେ ହିଁ ଏହାର ଗତି ପଥ ଓ ପ୍ରଭାବ ସ୍ପଷ୍ଟ ହେବ।