ଯୁକ୍ତ ୩ ଆଡମିସନ ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ୩ ଆଡମିସନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମନୋନୟନ ପ୍ରକ୍ରିୟା ହେବ। ଛାତ୍ରଛାତ୍ରୀମାନେ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ପୋର୍ଟାଲରେ ମୋବାଇଲ ନମ୍ବର ଓ ଇମେଲ ଆଇଡି ଦେଇ ଲଗଇନ କରି ଆଡମିସନ ପାଇଁ ଆବେଦନ କରିପାରିବେ। ତେବେ ଏହି ଆବେଦନ ସମୟରେ ସାର୍ଟିଫିକେଟ କିମ୍ବା ମାର୍କ ସିଟ ଅପଲୋଡ କରିବାକୁ ପଡ଼ିବନି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ତେଣୁ ସ୍ଲାଇଡ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ରଛାତ୍ରୀମାନେ ଅନଲାଇନ ଫର୍ମରେ ଉଲ୍ଲେଖ କରିପାରିବେ।

ନାମ ଲେଖା ପାଇଁ ଫିସ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ଅନଲାଇନରେ ସଂଗ୍ରହ କରାଯିବ। ଏହି ପରିପ୍ରେକ୍ଷୀରେ ସାଧାରଣ ବର୍ଗଙ୍କ ପାଇଁ ୨୭୫ ଟଙ୍କା, ଏସଟି ଓ ଏସସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦ ଟଙ୍କା ଏବଂ ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗୀ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିସନ ଫି ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ଏନେଇ କଲେଜ କର୍ତ୍ତୃପକ୍ଷ ପୋଷ୍ଟର ଲଗାଇ ସଚେତନ କରିବେ। ଏହା ସହିତ କଲେଜର ହେଲ୍ପଡେସ୍କ ଓ ଇଣ୍ଟରନେଟ କେନ୍ଦ୍ରରେ ନିରବିଚ୍ଛିନ୍ନ ସେବା ଯୋଗାଇବାକୁ ସବୁ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।