ମାଉସୀ ମା’ ମନ୍ଦିରକୁ ଘୋଡ଼ା ଗାଡ଼ିରେ ବିଜେ କଲେ ୩ ଠାକୁର

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେବଗଡ଼ ଜିଲ୍ଲାରେ ରଥଯାତ୍ରା ବନ୍ଦ ରହିଛି। ତେବେ ବିଧିରକ୍ଷା ଅନୁଯାୟୀ ଦେବଗଡ଼ ରାଜା ନିତେଶ ଗଙ୍ଗଦେବ ଛେରା ପହଁରା କରିବା ପରେ ବଡ଼ ଦେଉଳ ମଧ୍ୟରୁ ମନ୍ଦିର ପରିସରରେ ଥିବା ଝୁଲଣ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରାଯାଇଥିଲା। ଆଜି ଝୁଲଣ ମଣ୍ଡପରେ ରହିଥିବା ବଡ଼ ଠାକୁର ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ଏକ ଘୋଡ଼ା ଗାଡ଼ିରେ ରଥାରୂଢ଼ କରି ମାଉସୀ ମା’ ମନ୍ଦିରକୁ ବିଜେ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ନୀତିକାନ୍ତୀ କରାଯାଇଛି। କରୋନା ଯୋଗୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନରୁ ବଂଚିତ ହୋଇଥିବା କାରଣରୁ ଭକ୍ତଙ୍କ ମନରେ ନୈରାଶ୍ୟଭାବ ପ୍ରକାଶ ପାଇଛି।