ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳାଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କଣ୍ଟାବାହାଲ ଗ୍ରାମ କିସାନପଡ଼ାରେ ଗତକାଲି ବିଳମ୍ବିତ ରାତ୍ରୀରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, କାବାହାଲ ଗ୍ରାମ କିସାନପଡ଼ାର ମୁରଲୀ କିସାନଙ୍କ ପୁଅ ପବିତ୍ର କିସାନ (୨୪) ଗ୍ରାମରେ ଗୋରୁ ଚରାଇ ଗୁଜରାଣ ମେଣ୍ଟାଉଥିଲେ। ଗୋରୁ ଚରାଇବା କାମରେ ସହାୟତା ପାଇଁ ପବିତ୍ର ନିଜ ସାନ ଭାଇ ଘୁରୁଡ଼ କିସାନ (୨୨)କୁ ସହଯୋଗୀ ଭାବେ ପାଖରେ ରଖିଥଲେ। ତେବେ ୨ ଦିନ ପୂର୍ବରୁ ଘୁରୁଡ଼ ବଡ଼ଭାଇ ପବିତ୍ରକୁ ନ ଜଣାଇ ଗୋରୁ ଚରାଇବା ବାବଦରେ ଗୋରୁ ମାଲିକଙ୍କଠାରୁ ୫ଶହ ଟଙ୍କା ନେଇଥିଲେ। ଗତକାଲି ସଂନ୍ଧ୍ୟାରେ ପବିତ୍ର ଏହା ଜାଣିବା ପରେ ଘୁରୁଡୁଙ୍କୁ ଗାଳିଗୁଳଜ ସହ ପିଟିଥିଲେ। ଫଳରେ ଘୁରୁଡ଼ ପ୍ରତିଶୋଧ ପରାୟଣ ହୋଇ ବଡ଼ଭାଇ ପବିତ୍ର ଶୋଇଥିବା ଅବସ୍ଥାରେ ଛାତି ଓ ବେକରେ ଟାଙ୍ଗିଆ ଚୋଟ ମାରି ହତ୍ୟା କରିଥିଲେ। ଆଜି ସକାଳେ ମୃତ ପବିତ୍ରର ପିତା ଖଇରପାଲି ଫାଣ୍ଡିରେ ସୂଚନା ଦେବା ପରେ କୁଣ୍ଢେଇଗୋଳା ଥାନାଧିକାରୀ ନିରୁପମା ଜେନା, ଫାଣ୍ଡି ଅଧିକାରୀ ବିଜୟ କୁମାର ଦେହୁରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛିି। ଅନ୍ୟପଟେ ଅଭିଯୁକ୍ତ ଘୁରୁଡ଼କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡ଼ିଛି।