ଚାଇଲ୍ଡ ଲାଇନ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ: ଦେବଗଡ଼ ଚାଇଲ୍ଡ ଲାଇନ ଆନୁକୂଲ୍ୟରେ ତିଳେଇବଣି ବ୍ଲକ୍ ସୁନାମୁଣ୍ଡା ଗ୍ରାମରେ ଆଜି ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୭୦ ଜଣରୁ ଅଧିକ ଶିଶୁଙ୍କ ଦ୍ୱାରା ‘ବେଟି ବଚାଓ ବେଟି ପଢ଼ାଓ’ ସମ୍ପର୍କିତ ବାର୍ତ୍ତା ସହ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଉପସ୍ଥିତ ରହି ଶିଶୁ କନ୍ୟାଙ୍କ ଅଧିକାର ଏବଂ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ଚାଇଲ୍ଡ ଲାଇନର ସଂଯୋଜକ ରମାକାନ୍ତ ସାହୁ ବାଲ୍ୟବିବାହ ଭଳି କୁସଂସ୍କାରକୁ ଗ୍ରାମରୁ ଦୂର କରିବା ପାଇଁ ଏକ ସାମୂହିକ ଶପଥପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଇଲ୍ଡଲାଇନର କର୍ମକର୍ତ୍ତା ଉପେନ୍ଦ୍ର ଭଞ୍ଜ, ସୁବିଲ କୁମାର ପ୍ରଧାନ, ସୁରେନ୍ଦ୍ର ମାଝୀ, ପ୍ରିୟଙ୍କା ଭଞ୍ଜ ଏବଂ ଅଙ୍ଗନବାଡି କର୍ମୀ ସାବିତ୍ରୀ ପ୍ରଧାନ, ଯଶୋଦା ପ୍ରଧାନ, ସୁନୀତି ସାହୁ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।